Odisha Link
Bridging the Missing Links in Odisha

ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ନୀତି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ଖୁବ୍‌ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ଥିବା ପରିପ୍ରେକ୍ଷୀରେ ବୈଠକରେ ବ୍ୟାପକ ଅଲୋଚନା ହୋଇଥିଲା। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତି ସଂପଦର ସୁରକ୍ଷା ତଥା ଆନ୍ତର୍ଜାତିକ ସ୍ତରରେ ଆଦୃତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୀତିରେ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ କରିଥିଲେ।

ଏହି ନୀତିରେ ଭବିଷ୍ୟତ ଦୃଷ୍ଟି, ଲକ୍ଷ୍ୟ ଓ ଆଭିମୁଖ୍ୟ, କଳା ସଙ୍ଗିତ ଓ ସାଂସ୍କୃତିକ ପର୍ଯ୍ୟଟନ ସଂପର୍କିତ ଗବେଷଣା ତଥା ଶିକ୍ଷା, ପାଠାଗାର ଅନ୍ଦୋଳନ, ପ୍ରତ୍ନତତ୍ତ୍ବ ଅଭିଲେଖ ଭାଷା ଓ ସାହିତ୍ୟର ଗବେଷଣା ଏବଂ ଅଭିବୃଦ୍ଧି, ଶିଳ୍ପୀ ତଥା କଳାକାରମାନଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯକ୍ରମ, ଆଞ୍ଚଳିକ ସାଂସ୍କୃତି କେନ୍ଦ୍ର ପ୍ରତିଷ୍ଠା, ପାରମ୍ପରିକ ନାଟ୍ୟକଳା ମଞ୍ଚ ସଙ୍ଗିତ ନୃତ୍ୟ ଇତ୍ୟାଦିର ବିକାଶ ବାବଦରେ ସବିଶେଷ ଉଲ୍ଲେଖ ରହିବ ବୋଲି ପାଣିଗ୍ରାହୀ ପ୍ରକାଶ କରିଥିଲେ।
ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ବିଶିଷ୍ଟ ଗବେଷକ ଓ ବିଦ୍ବାନ ପ୍ରଫେସର ରାଜକିଶୋର ମିଶ୍ର, ସଂସ୍କୃତ ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଡ. ମହେଶ ପ୍ରସାଦ ଦାସ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ସଂଜୟ ଆଚାର୍ଯ୍ୟ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର, ଆଦିତ୍ୟ ମହାପାତ୍ର, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଓ ବିଭାଗର ଉପଶାସନ ସଚିବ ବି. ବି. ପାତ୍ର ଉପସ୍ଥିତ ଥିଲେ।

Comments are closed.