Odisha Link
Bridging the Missing Links in Odisha

ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧% ରୁ କମ୍: ବିଜେଡି

ଭୁବନେଶ୍ବର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟକୁ ନେଇ ହଟଚମଟ ଚାଲିଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‌ ରହିଛି। ରାଜ୍ୟ ସରକାରଙ୍କ ଏହି ବହୁ ଆଙ୍କାକ୍ଷିତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ ମଧ୍ୟରେ ବଡ଼ଚାଷୀ, ଟକସଦାତା, ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ମାତ୍ର ୪୦ ହଜାର ରହିଛି। ଅନେକ ନିଜର ଅଜ୍ଞତା କିମ୍ବା କୌଣସି କାରଣରୁ ତାଲିକାରେ ସାମିଲ ହୋଇ ଯାଇଥିବା ବେଳେ ଏବେ ନେଇଥିବା ସହାୟତା ରାଶି ଫେରାଇବାକୁ ନିଜଆଡୁ ଆଗ୍ରହ ପ୍ରକାଶ କଲେଣି।

କାଳିଆ ଯୋଜନାରେ ଉପକୃତ ହୋଇଥିବା ୩ ଲକ୍ଷ ହିତାଧିକାରୀ, ଯେଉଁମାନଙ୍କ ପରିବାରରୁ ଏକାଧିକ ଚାଷୀ ଉପକୃତ ହୋଇଥିବା ଲକ୍ଷ୍ୟ କରାଯାଇଛି ବାସ୍ତବରେ ସେମାନେ କୌଣସି ଅନୈତିକ ଉପାୟରେ ଅର୍ଥ ପାଇନାହାନ୍ତି। ଯେହେତୁ କାଳିଆ ଯୋଜନାରେ ଗୋଟିଏ ଚାଷୀ ପରିବାରର ଜଣଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଛି ତେଣୁ ଏହି ତିନିଲକ୍ଷ ହିତାଧିକାରୀଙ୍କୁ ଅଧିକ ଭାବେ ଦର୍ଶାଯାଇଛି। ଏମାନେ ସହାୟତା ଆକାରରେ ପାଇଥିବା ୧୫୦ କୋଟି ଟଙ୍କାକୁ ସେମାନଙ୍କ ପରିବାରକୁ ପରବର୍ତ୍ତୀ ପର୍ଯ୍ୟାୟରେ ମିଳିବାକୁ ଥିବା କାଳିଆ ଅର୍ଥରେ ଆଡଜଷ୍ଟ କରାଯିବ। ତେଣୁ ଏଥିରେ ରାଜକୋଷରୁ କୌଣସି ଅର୍ଥ ବେନିୟମ ଭାବେ ବ୍ୟୟ ହେବାର ସମ୍ଭାବନା ନାହିଁ। ଏହି ଯୋଜନାରେ ହିତାଧିକାରୀମାନଙ୍କ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଖାତାରୁ ସିଧାସଳଖ ପଠାଇ ଦିଆଯାଉଥିବାରୁ ସହାୟତା ପ୍ରଦାନରେ କୌଣସି ପ୍ରକାର ବେନିୟମ ବି ହୋଇନାହିଁ। ଯୋଜନାରେ ବ୍ୟୟ ହୋଇଥିବା ଟଙ୍କାଟିଏ ବି ସ୍ବଚ୍ଛ ଉପାୟରେ ଚାଷୀଙ୍କ ନିକଟରେ ପହଞ୍ଛିଛି। ଅର୍ଥ ନେଇଥିବା ହିତାଧିକାରୀଙ୍କ ସମସ୍ତ ବିବରଣୀ ସରକାରଙ୍କ ନିକଟରେ ରହିଥିବା ଯୋଗୁଁ ସେମାନଙ୍କ ସହିତ କୌଣସି ସମୟରେ ଯୋଗାଯୋଗ କରାଯାଇ ପାରିବ।

କାଳିଆ ଯୋଜନା ଘେଷଣା ହେବାପରେ ଏଥିରେ ସାମିଲ ହେବାପାଇଁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୧୯ ଲକ୍ଷ ଆବେଦନ ପଡ଼ିଥିଲା। ବିଭିନ୍ନ ପର୍ଯ୍ୟାୟରେ ଆବେଦନପତ୍ର ଗୁଡ଼ଇକର ଯାଞ୍ଚ ହେବାପରେ ୭୦୦୦ ପଞ୍ଚାୟତରେ ଡ୍ରାଫ୍ଟ ତାଲିକା ଝୁଲାଇ ଦିଆଯାଇଥିଲା। ଅନେକ ହିତାଧିାକାରୀ ଯୋଜନାରୁ ନିଜକୁ ବାଦ୍‌ ଦେବାପାଇଁ ପଞ୍ଚାୟତରେ ଆବେଦନ କରିଥିଲେ। ନାଲି ରଙ୍ଗର ଫର୍ମରେ ଆବେଦନ କରିଥିବା ପାଖାପାଖି ଏକ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଅନୁରୋଧ ଅନୁଯାୟୀ ଡ୍ରାଫ୍ଟ ତାଲିକାରୁ ବାଦ୍‌ ଦିଆଯାଇଥିଲା। ହିତାଧିକାରୀ ଚୟନ ପାଇଁ ୫୦ ହଜାରରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲା ଏହିପରି ତିନି ପର୍ଯ୍ୟାୟ ଯାଞ୍ଚ ପରେ ସରକାରଙ୍କ ନିକଟରେ ଥିବା ଚାଷୀଙ୍କ ଡାଟାବେସ୍‌ ଆଧାରରେ ଚୁଡ଼ାନ୍ତ ତାଲିକାରେ ୫୧ ଲକ୍ଷ ୫ ହଜାର ସ୍ଥାନ ପାଇଥିଲେ। ଇତି ମଧ୍ୟରେ ୨ ହଜାରରୁ ଅଧିକ ହିତାଧିକାରୀ ସେମାନେ ପାଇଥିବା ସହାୟତା ଅର୍ଥ ଫେରାଇବାକୁ ଅନୁରୋଧ କରିଛନ୍ତି। କାଳିଆ ଯୋଜନାଟି ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ବ୍ୟକ୍ତିମାନଙ୍କ ଲାଗି କାର୍ଯ୍ୟକାରୀ ହୋଇଥିବା ବେଳେ ବିନା ମଧ୍ୟସ୍ଥିରେ ସରକାର ଏହି ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ତେଣୁ ଯୋଜନାରେ କୌଣସି ତ୍ରୁଟିବିଚ୍ୟୁତି କିମ୍ବା ଅର୍ଥ ହେରଫେର ହେବାର ନାହିଁ।

Comments are closed.