Odisha Link
Bridging the Missing Links in Odisha

କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି: କଂଗ୍ରେସ ବିଧାୟକ

ଭୋପାଳ: ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି। ଏପରି ମନ୍ତବ୍ୟ ଦେଇଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସାନ ଭାଇ ତଥା ବିଧାୟକ ଲକ୍ଷ୍ମଣ ସିଂହ। ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ଯେଉଁ ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଥିଲେ ତାହା ପୂରଣ କରିନାହାନ୍ତି। ସେଥିପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି ବିଧାୟକ।

ମଧ୍ୟ ପ୍ରଦେଶରେ ବିଜେପି ସରକାରକୁ ହଟାଇ କଂଗ୍ରେସ ଶାସନ ଗାଦିରେ ବସିଛି। ହେଲେ ଏଯାଏ ଚାଷୀଙ୍କ ଋଣ ଛାଡ଼ ହୋଇନଥିବା ସେ କହିଛନ୍ତି। ବିଧାନସଭା ନିର୍ବାଚନ ବେଳେ କିନ୍ତୁ ରାହୁଲ କହିଥିଲେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ଋଣ ଛାଡ଼ ହେବ। ଗତବର୍ଷ ଜୁନରେ ରାହୁଲ ଗାନ୍ଧି ମଧ୍ୟ ପ୍ରଦେଶର ମଣ୍ଡସୌର ଜିଲ୍ଲାରେ ଏକ ରାଲିରେ ଉଦବୋଧନ ଦେବା ବେଳେ ଏହା କହିଥିଲେ ବୋଲି ବିଧାୟକ ଲକ୍ଷ୍ମଣ ସିଂହ କହିଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ଭଳି କଂଗ୍ରେସ ନେତା ଲୋକଙ୍କୁ ଭେଟୁଛନ୍ତି। ସମସ୍ତେ ଋଣ ଛାଡ଼ ବାବଦରେ ପଚାରିବାରୁ ହଟହଟା ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶରେ ଏବେ କଂଗ୍ରେସ କ୍ଷମତା ରହିଛି। ହେଲେ ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବିବାଦ ରହିଥିବାରୁ ଦଳ ଦୁଇ ଭାଗ ହୋଇଛି। ଗତ ମାସରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ନିଷ୍ପତ୍ତିକୁ ଅବମାନନା କରି ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

Comments are closed.