Sat. Oct 19th, 2019

Odisha Link

bridging the missing links in odisha

ଅଭିନେତା ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ମୃତଦେହ ଉଦ୍ଧାର

1 min read
  •  
  •  
  •  
  •  
  •  
  •  

ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ସୁପର୍‌ଷ୍ଟାର୍‌ ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣରେ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍‌ର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେ ନେଇ ଯାଞ୍ଚ କରିବାକୁ ପଠାଇଥିଲେ। ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ କରିଥିଲେ।

ନାଗାର୍ଜୁନଙ୍କ ଏହି ଫାର୍ମହାଉସ୍‌ ଶାଦନଗର ବ୍ଲକ୍‌ର ପପିରେଡ୍ଡୀଗୁଡ଼ାରେ ରହିଛି। ମୃତଦେହଟି ଫାର୍ମହାଉସ୍‌ର ଏକ ରୁମ୍‌ରେ ପଡ଼ିଥିବା ସେମାନେ ଦେଖିବା ପରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କେଶମ୍‌ପେଟ୍ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ଖବର ଅନୁଯାୟୀ, ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ପୁଲିସ୍ ତାଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ନାଗାର୍ଜୁନ ପ୍ରାୟ ବର୍ଷେ ତଳେ ପପିରେଡ୍ଡୀଗୁଡ଼ାରେ ୪୦ ଏକର ଚାଷ ଉପଯୋଗୀ ଜମି କିଣିଥିଲେ। ନିକଟରେ ସେ ଓ ତାଙ୍କ ପରିବାର ଲୋକେ ସେଠାକୁ ଯାଇ କିଛି ଗଛ ଲଗାଇଥିଲେ। ତେବେ ସେଠାରେ ଜୈବିକ ପଦ୍ଧତିରେ ଫସଲ କରିବା ଉଦ୍ଦେଶ୍ୟରେ ପରାମର୍ଶ ନେବାକୁ ସେ କିଛି ବିଶେଷଜ୍ଞଙ୍କ ସହାୟତା ନେଇଥିଲେ ଓ ଜମିର ମାନ ଯାଞ୍ଚ କରିବାକୁ ବୁଧବାର ସେମାନଙ୍କୁ ସେଠାକୁ ପଠାଇଥିଲେ।