Odisha Link
Bridging the Missing Links in Odisha

ଛବିରାଣୀ-ବିଲୁଆଖାଇ-ନୀହାରିକା

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ବିଲୁଆଖାଇ। ଅଶୀଦଶକରେ ଛବିରାଣୀ ହତ୍ୟାକଣ୍ଡକୁ ନେଇ ସମଗ୍ର ରାଜ୍ୟରେ ତଥା ଦେଶରେ ହଇଚଇ ସୃଷ୍ଟି କରିଥିଲା ଏଇ ନଦୀ। ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡର ମୁକସାକ୍ଷୀ ବିଲୁଆଖାଇ ଦୀର୍ଘ ୩୯ବର୍ଷ ପରେ ସମାନ ଧରଣର ଆଉ ଏକ ହତ୍ୟା ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ।

୧୯୮୦ ମସିହା ଅକ୍ଟୋବର ମାସରେ ଯେଉଁ ଘଟଣା ଘଟିଥିଲା ତାହା ଏବେ ମଧ୍ୟ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ। ଏକ ଦୈନିକ ଖବରକାଗଜର ସାମ୍ବଦିକଙ୍କ ପତ୍ନୀ ଛବିରାଣୀଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ୮ଜଣ ଦୁର୍ବୃତ୍ତ ଛବିରାଣୀଙ୍କୁ ଗଣବଳାତ୍କାର କରିବା ସହ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ତାଙ୍କୁ ବିଲୁଆଖାଇ ନଦୀ ପଠା ବାଲିରେ ପୋତି ଦେଇଥିଲେ। ଏହି ଘଟଣା ଅଶୀଦଶକରେ କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚହଳ କରିଥିଲାା। ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପାଖକୁ ଏହି ଖବର ମଧ୍ୟ ପହଁଞ୍ଚିଥିଲା। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ରାଜ୍ୟରେ ପ୍ରଥମ ହୋଇଥିବାରୁ ଲୋକଙ୍କ ମନରେ ବିଲୁଆଖାଇକୁ ନେଇ ଏକପ୍ରକାର ଭୟ ସୃଷ୍ଟି ହୋଇଥିଲା।

ଜଗତସିଂହପୁର ଜିଲ୍ଲାର ଏହି ଅନାମଧେୟ ନଦୀ ବିଲୁଆଖାଇରେ ଘଟିଥିବା ୪୦ ତଳର ସେହି ନାରକୀୟ ଘଟଣାକୁ ପୁଣି ତାଜା କରିଛି ଷ୍ଟାଫ୍‌ ନର୍ସ ନିହାରୀକା ପାତ୍ର ହତ୍ୟାକାଣ୍ଡ। ଷ୍ଟାଫ୍‌ ନର୍ସ ନିହାରୀକା ପାତ୍ରଙ୍କ ମୃତ ଦେହ ଉକ୍ତ ନଦୀପଠାରୁ ଏକ ଅଖା ଭିତରୁ ମିଳିବା ନେଇ ସନ୍ଦେହ ଜାରି ରହିଛି। ନିହାରୀକାଙ୍କ ଭିଣୋଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ ରାଜା ହିଁ ହତ୍ୟାକାରୀ। ଉଭୟଙ୍କ ମଧ୍ୟରେ ଘନିଷ୍ଟତା ଥିଲା। ପ୍ରେମ ସମ୍ପର୍କ ଥିଲା। ଆଉ କିଛି ଦିନ ପରେ ଉଭୟଙ୍କର ବିବାହ ସମ୍ଭାବନା ଥିଲା। ଏ ନେଇ ଦୁଇ ପରିବାରଙ୍କ ମଧ୍ୟରେ ସହମତି ମଧ୍ୟ ଥିଲା। ତେବେ ଉଭୟଙ୍କ ମଧ୍ୟରେ ଏମିତି କ’ଣ ଘଟଣା ଘଟିଲା ଯେ ନିହାରୀକାଙ୍କୁ ହତ୍ୟା କରାଗଲା, ଏ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାରେ କେବଳ ରାଜା ହିଁ ସମ୍ପୃକ୍ତ ନା ଏହା ପଛରେ ଆଉ କିଏ କିଏ ଅଛନ୍ତି ତାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଉଭୟ କଟକର ମଧୁପାଟଣା ଓ ଜଗତସିଂହପୁରର ବିରିଡ଼ି ପୁଲିସ ମଧ୍ୟ ତଦନ୍ତ କରୁଛି। ତେବେ ଆଜି ନିହାରୀକାଙ୍କ ଶବ ବ୍ୟବେଚ୍ଛେଦ ଓ ଡିଏନଏ ଟେଷ୍ଟ ମଧ୍ୟ ହେବ। ଯଦିଓ ପରିବାର ଲୋକେ ଏହି ମୃତଦେହକୁ ଚିହ୍ନଟ କରିଛନ୍ତି ତଥାପି ପୁଲିସ ଆଉଥରେ ଡିଏନଏ ଟେଷ୍ଟ କରିବ ବୋଲି ଜଣାପଡ଼ିଛି।

ନାରୀ ପ୍ରତି ପାଶବିକତାର ପ୍ରତିଶବ୍ଦ ପାଲଟିଥିବା ବିଲୁଆଖାଇ ନଦୀ ପଠା ପୁଣି ଥରେ ଆଉ ଜଣେ ଛବିରାଣୀଙ୍କ ରକ୍ତରେ ରଂଜିତ ହୋଇଛି। ଅପରପକ୍ଷେ ହତ୍ୟାକାରୀ ଭାବି ସ୍ୱାମୀ ତଥା ପ୍ରେମିକ କିଶୋର ଚନ୍ଦ୍ର ଅଂଚଳ ଓରଫ ରାଜା ବୋଲି ପୁଲିସ ସନ୍ଦେହ କରୁଛି। ନୀହାରିକାଙ୍କ ବୟଫ୍ରେଣ୍ଡ ରାଜା ଆଜି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ଏହି ଘଟଣାରେ ପୁଲିସ ରାଜା ସମେତ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ନିହାରିକାଙ୍କୁ କେବଳ ହତ୍ୟା କରାଯାଇଛି, ନାଁ ଗଣବଳାତ୍କାର କରାଯାଇଛି, ତାହା ସ୍ପଷ୍ଟ ହୋଇନି। ବିଲୁଆଖାଇ ନାଁ ଶୁଣିଲେ ଏବେ ବି ଲୋକେ ଛବିରାଣୀ କଥା ମନେ ପକାଉଛନ୍ତି। ଆଉ ଏବେ ନିହାରିକା ମୃତ୍ୟୁ ଘଟଣାରେ ବିଲୁଆଖାଇ ଚର୍ଚ୍ଚାରେ।

Comments are closed.