Odisha Link
Bridging the Missing Links in Odisha

ଓଡ଼ିଶା ଯୁବ ସମ୍ମାନ ୨୦୧୯: କେଉଁ ବିଭାଗରେ କିଏ ପାଇଲେ ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୭ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯଇଛି। ସ୍ଥାନୀୟ ଜୟଦେବ ଭବନରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ସମ୍ମାନ ସମାରୋହରେ ବରିଷ୍ଠ ରାଜନୀତିଜ୍ଞ ତଥା ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ଓ ବରିଷ୍ଠ କଥାଶିଳ୍ପୀ ତଥା ଶିଶୁସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇଥିଲେ।

ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓ ସମାଜ ପାଇଁ ନୂଆ ଉଦାହରଣ ତିଆରି କରିଥିବା ଓଡ଼ିଶାର ୧୭ ଜଣ ଯୁବ ପ୍ରତିଭାଙ୍କୁ ଏ ଅବସରରେ ସମ୍ମାନିତ କରାଯାଇଛି। ବିଜୁ ଜନତା ଦଳ ନେତା ତଥା ତଥା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ (ରାଜନୀତି), ସିନେ ନାୟିକା ଅର୍ଚ୍ଚିତା ସାହୁ (ସିନେମା), ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ (କ୍ରୀଡ଼ା), ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ (ନୃତ୍ୟ), ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ (ସାମ୍ବାଦିକତା), ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ (ସଂଗୀତ), ଇଣ୍ଟରନାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନୀଲ ପ୍ରଧାନ (ଶିକ୍ଷା), ସମାଜସେବୀ କଳ୍ପାଶା ଅଙ୍କିତା ଶ’(ସମାଜସେବା), ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା (କଳା), କଥାକାର ରବିନାରାୟଣ ଦାଶ(ସାହିତ୍ୟ), ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ (ଗୋଷ୍ଠୀ ସଚେତନତା), ବାଜିରାଓ ଆଇଏଏସ୍‌ ଏକାଡେମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା (ନେତୃତ୍ବ), ସିନେମା ଗୀତିକାର ସୁବ୍ରତ ସ୍ବାଇଁ (ମନୋରଞ୍ଜନ), ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର (ପୋଷଣ ଓ ସ୍ବାସ୍ଥ୍ୟ), ଯୁବ ଔପନ୍ୟାସିକ ଅଭିଷେକ ପାଣି (ଉଦୀୟମାନ ଲେଖକ), ଯୁବ ଉଦ୍ୟୋଗୀ ଅନୁକୁଳ ଅଗ୍ରଓ୍ବାଲ (ଉଦ୍ୟୋଗ) ଓ ମିସ୍‌ ଟିନ୍‌ ଡିଭା ଇଣ୍ଟରନାସନାଲ ମୁକୁଟ ବିଜୟିନୀ ଲାବଣ୍ୟା ଦାସ (ମଡେଲିଂ) ପ୍ରମୁଖ ଚଳିତ ବର୍ଷର ଓଡ଼ିଶା ଯୁବ ସମ୍ମାନ ଗ୍ରହଣ କରିଛନ୍ତି।

ବିଜୁ ଜନତା ଦଳ ନେତା ତଥା ତଥା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ (ରାଜନୀତି)
ଅଭିନେତ୍ରୀ ଅର୍ଚ୍ଚିତା ସାହୁ (ସିନେମା)
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ (କ୍ରୀଡ଼ା)
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ (ନୃତ୍ୟ)
ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ (ସାମ୍ବାଦିକତା)
ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ (ସଂଗୀତ)
ଇଣ୍ଟରନାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନୀଲ ପ୍ରଧାନ (ଶିକ୍ଷା)
ସମାଜସେବୀ କଳ୍ପାଶା ଅଙ୍କିତା ଶ’ (ସମାଜସେବା)
ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା (କଳା)
କଥାକାର ରବିନାରାୟଣ ଦାଶ (ସାହିତ୍ୟ)
ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ (ଗୋଷ୍ଠୀ ସଚେତନତା)
ବାଜିରାଓ ଆଇଏଏସ୍‌ ଏକାଡେମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା (ନେତୃତ୍ବ)
ସିନେମା ଗୀତିକାର ସୁବ୍ରତ ସ୍ବାଇଁ (ମନୋରଞ୍ଜନ)
ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର (ପୋଷଣ ଓ ସ୍ବାସ୍ଥ୍ୟ)
ଯୁବ ଔପନ୍ୟାସିକ ଅଭିଷେକ ପାଣି (ଉଦୀୟମାନ ଲେଖକ)
ଯୁବ ଉଦ୍ୟୋଗୀ ଅନୁକୁଳ ଅଗ୍ରଓ୍ବାଲ (ଉଦ୍ୟୋଗ)
ମିସ୍‌ ଟିନ୍‌ ଡିଭା ଇଣ୍ଟରନାସନାଲ ମୁକୁଟ ବିଜୟିନୀ ଲାବଣ୍ୟା ଦାସ (ମଡେଲିଂ)

ବରିଷ୍ଠ କଥାଶିଳ୍ପୀ ତଥା ଶିଶୁସାହିତ୍ୟିକ ଦାଶ ବେନହୁର ଏହି ଅବସରରେ ସମ୍ମାନିତ ହୋଇଥିବା ସମସ୍ତ ଯୁବ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଯୁବ ପ୍ରତିଭାଙ୍କୁ ମଧ୍ୟ ଉପଦେଶ ଦେଇଥିଲେ ଶ୍ରୀ ବେନହୁର। ସେ କହିଥିଲେ ଯେ, ଏ ସମ୍ମାନ ଆପଣମାନଙ୍କ ପାଇଁ ଏକ ଚେତାବନୀ ସଦୃଶ। ଏହା ଦ୍ବାରା ଆପଣମାନଙ୍କ ଦାୟିତ୍ବ ବୃଦ୍ଧି ପାଇବ। ପୁରସ୍କାର ପାଇଲେ ବୋଲି ଖୁସି ହୋଇ ବସି ପଡ଼ିଲେ ହେବ ନାହିଁ। ଯେଉଁ ଯୋଗ୍ୟତା ପାଇଁ ଆଜିର ଏ ସମ୍ମାନ ପ୍ରାପ୍ତ ହେଲା ସେହି ଯୋଗ୍ୟପଣ କିଭଳି ଆଗକୁ ବଜାୟ ରହିବ ସେ ନେଇ ପ୍ରତିଭାମାନେ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ବେନହୁର କହିଥିଲେ।

ଏହି ସମ୍ମାନ ସମାରୋହରେ ବରିଷ୍ଠ ରାଜନୀତିଜ୍ଞ ତଥା ଲୋକସଭା ସାଂସଦ ଭର୍ତୃହରି ମହତାବ କହିଥିଲେ ଯେ, ବୟସ ଯୌବନର ମାପକାଠି ନୁହେଁ। ଥରେ ଯୁବ ବୟସ ଅତିକ୍ରମ କରିଗଲେ ଆଉ ଏ ବୟସ ଫେରିବ ନାହିଁ। ଏହି ଯୁବ ବୟସ ହିଁ ହେଉଛି ପ୍ରକୃତ ସମୟ କିଛି କରିବାର। ଏମିତି କିଛି ନ ହେଉ ଯାହା ଦ୍ବାରା ଯୁବକଟିଏ ବୟସ ଅତିକ୍ରାନ୍ତ କରିବା ପରେ କିଛି ନ କରିପାରିବାର ଅବସୋସ୍‌ ରହିଯିବ। ଏହି ଅବସରରେ ସମ୍ମାନିତ ହୋଇଥିବା ଯୁବ ପ୍ରତିଭା ଏକ ମଞ୍ଚରେ ଏକାଠି ହେବା ଏକ ଭଲ କଥା ବୋଲି ଓଡ଼ିଆ ମିଡିଆର ଉପକ୍ରମକୁ ପ୍ରଶଂସା କରିଥିଲେ ଶ୍ରୀ ମହତାବ।

ଉତ୍ସବରେ ଅଧ୍ୟକ୍ଷତା କରି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ଏହି ଅବସରରେ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ଯୁବ ସମ୍ମାନ ଦେଉଛନ୍ତି ସେଥିରେ ପୂର୍ବରୁ ସାହିତ୍ୟ ଓ ଅନ୍ୟ କେତେକ ବିଭାଗ ସାମିଲ ଥିଲା। ତାହ ଏବେ କେବଳ କ୍ରୀଡ଼ା ଏବଂ ସାହାସିକତା କ୍ଷେତ୍ରରେ ସୀମିତ ରହିଯାଇଛି। ଶ୍ରୀ ପଣ୍ଡା ନିଜେ ୨୦୧୭-୦୮ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ରାଜ୍ୟ ଯୁବ ପୁରସ୍କାର ପାଇଥିବା ବେଳେ ସରକାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ଯୁବ ପ୍ରତିଭାମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ମାନ ସମାରୋହ କରିବା ଉଚିତ ବୋଲି ପରାମର୍ଶ ରଖିଥିଲେ।

ଯୁବ ପ୍ରତିଭାଙ୍କୁ ଚିହ୍ନଟ ଓ ସେମାନଙ୍କର ସଫଳତାକୁ ସ୍ବୀକୃତି ଦେବା ସହ ସେମାନଙ୍କ ପ୍ରେରଣାଦାୟୀ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ଏ ସମ୍ମାନ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ଉତ୍ସବରେ ବହୁ ସଂଖ୍ୟାରେ ଯୁବ ବର୍ଗର ପ୍ରତିନିଧିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଶ୍ରୀ ପଣ୍ଡା ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ଯୁବ କବି ଅଗ୍ନିବେଶ ମହାପାତ୍ର। ଓଡ଼ିଆ ମିଡିଆ ପକ୍ଷରୁ ରଜନୀକାନ୍ତ ତରାଇ, ସତ୍ୟବ୍ରତ ବଳିଆରସିଂହ, ମିଲନ ପ୍ରଧାନ, ଜିତେନ୍ଦ୍ର କୁମାର ଜେନା, ଆଶିଷ କୁମାର ରଥ, ଶୁଭଶ୍ରୀ ଶୁଭଲକ୍ଷ୍ମୀ ମହାନ୍ତି, ପ୍ରଗତି ପଣ୍ଡିତ, ପ୍ରମିତାଭ ଶତପଥୀ, ପ୍ରଦ୍ୟୁମ୍ନ ମହାପାତ୍ର ଓ ଜ୍ୟୋତିରଂଜନ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ତମାମ୍ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ମାନ ଆୟୋଜିତ ହୋଇଥାଏ। ସେସବୁ ମଧ୍ୟରେ ରହିଛି ଭୁବନେଶ୍ବର ସାହିତ୍ୟ ଉତ୍ସବ, କୋରାପୁଟ ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଭାଷା ଉତ୍ସବ, ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ ଓ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ସମ୍ମାନ।

Comments are closed.