Odisha Link
Bridging the Missing Links in Odisha

କଥାକାର ଗୌରହରି ଦାସଙ୍କ ‘ରେବତୀ’କୁ ନେଇ ସିନେମା, ଦେଖନ୍ତୁ ଟ୍ରେଲର

ଭୁବନେଶ୍ବର: ଜଣାଶୁଣା କଥାକାର ଡ. ଗୌରହରି ଦାସଙ୍କ ପ୍ରସିଦ୍ଧ କାହାଣୀ ‘ରେବତୀ’କୁ ନେଇ ପ୍ରସ୍ତୁତ ହେଉଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର। ସିନେମାର ଟ୍ରେଲର ଏବେ ୟୁଟ୍ୟୁବରେ ରିଲିଜ୍ ହୋଇଛି।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ ଅଭିନୟ କରିଥିବାବେଳେ ସହଯୋଗୀ କଳାକାର ଭାବେ ଚୌଧୁରୀ ଜୟପ୍ରକାଶ ଦାଶ, ବିଶ୍ୱଦୀପ ଦାସ, ଭୂପତି ତ୍ରିପାଠୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ।

ଏହି ଫିଲ୍ମରେ ଜଣେ ଦଳିତ ପରିବାର ଝିଅର ସଂଘର୍ଷମୟ ଓ ସ୍ୱାଭିମାନର କାହାଣୀ ଦେଖିବାକୁ ମିଳିବ। ୧ ମିନିଟ ୪ ସେକେଣ୍ଡର ଟିଜରରେ ଦର୍ଶକଙ୍କୁ ସମ୍ୟକ ଧାରଣା ଦିଆଯାଇଥିଲେ ବି ଏହାର କାହାଣୀ ଲେଖିଥିବା ଡ଼.ଗୌରହରି ଦାସ କୁହନ୍ତି ଯେ ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରି ଝିଅଟି କେବଳ ଯେ ଉଚ୍ଚଶିକ୍ଷିତ ହୋଇଛି ତାହା ନୁହେଁ, ବରଂ ଅତ୍ୟାଚାରୀଙ୍କର ମୁଖା ଖୋଲିବା ସହ ନିଜର ବ୍ୟକ୍ତିତ୍ୱର ଉଜ୍ଜ୍ବଳ ଦିଗକୁ ପ୍ରତିଷ୍ଠିତ କରିଛି ତାହା ଦର୍ଶକ ଦେଖିବାକୁ ପାଇବେ।

ଡ. ଦାସ ଜଣେ କଥାଶିଳ୍ପୀ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ପରିଚିତ। ତାଙ୍କର ବହୁ ଗଳ୍ପ ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ବେଶ୍ ପାଠକୀୟ ଶ୍ରଦ୍ଧା ସାଉଁଟିଛି। ଅତୀତରେ ତାଙ୍କର ପ୍ରସିଦ୍ଧ ଗଳ୍ପ ‘ଅହଲ୍ୟାର ବାହାଘର’କୁ ନେଇ ଦୂରଦର୍ଶନ ପକ୍ଷରୁ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ଶ୍ରୀ ଦାସ ସଂପ୍ରତି ଦୈନିକ ଖବରକାଗଜ ‘ସମ୍ବାଦ’ର ସଂପାଦକ (ଫିଚର୍ସ) ଭାବେ କାର୍ଯ୍ୟ କରୁଥିବା ବେଳେ ଲୋକପ୍ରିୟ କାହାଣୀ ପତ୍ରିକା ‘କଥା’ର ସଂପାଦନା କରୁଛନ୍ତି।

Comments are closed.