Odisha Link
Bridging the Missing Links in Odisha

ଏଣିକି ମାସର ଶେଷ ଦିନରେ ହିଁ ମିଳିବ ଦରମା ଓ ପେନସନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କୁ ବେତନ ଏବଂ ପେନସନ୍ ପାଇବା ପାଇଁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କର୍ମଚାରୀ ଏବଂ ପେନସନ ଭୋଗୀମାନେ ମାସ ଶେଷଦିନରେ ହିଁ ଦରମା ପାଇବେ। ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ନୂଆ ବ୍ୟବସ୍ଥା ଚଳିତ ମାସରୁ ଲାଗୁହେବ। ଏଥିପାଇଁ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଲାଗି ଅର୍ଥ ବିଭାଗ ପକ୍ଷରୁ ଏକ ନିୟମାବଳୀ ଜାରି କରାଯାଇଛି। ମାସର ଶେଷ ଦିନଟି ଛୁଟିଦିନ ହୋଇଥିଲେ ଏହାର ଗୋଟିଏ ଦିନ କିମ୍ବା କିଛିଦିନ ପୂର୍ବରୁ ଦରମା ପ୍ରଦାନ କରାଯିବ। ତେବେ ମାର୍ଚ୍ଚମାସର ବେତନକୁ ଏପ୍ରିଲ ୧ ତାରିଖରେ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବଜେଟ୍ ଏବଂ ଆଲଟମେଣ୍ଟ ବ୍ୟବସ୍ଥା ନ ଥିଲେ, ଡିଡିଓମାନଙ୍କ ଦ୍ବାରା ମାର୍ଚ୍ଚ ୩୧ ପରେ ମଧ୍ୟ ବେତନ ବିଲ୍ ଦାଖଲ କରାଯାଇ ପାରିବ ବୋଲି ଅର୍ଥ ବିଭାଗ କହିଛି। ଏହି ସମାନ ବ୍ୟବସ୍ଥା ପେନସନ ପ୍ରଦାନ କ୍ଷେତ୍ରରେ ମଧ୍ୟ ଲାଗୁହେବ। ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ବେତନ ପ୍ରଦାନ ବିଳମ୍ବ ହେଲେ ନ୍ୟାସନାଲ ପେନସନ ସିଷ୍ଟମରେ ସାମିଲ ଥିବା କର୍ମଚାରୀମାନଙ୍କ ପେନସନ ରିଟର୍ଣ୍ଣ ପ୍ରଭାବିତ ହେଉଛି। ନୂତନ ପଦକ୍ଷେପ ଦ୍ବାରା କେବଳ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ବେତନ ଓ ପେନସନ ପ୍ରଦାନ ତ୍ବରାନ୍ବିତ ହେବ ନାହିଁ, ବରଂ ବେତନ ବିଲ୍ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବହୁମାତ୍ରାର କାଗଜ କମିଯିବ। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରସ୍ତୁତ ହେଉଥିବା ବେତନ ବିଲ୍ ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପ୍ରତିମାସରେ ୧୫ ଲକ୍ଷରୁ ଅଧିକ ଏ-୩ ଆକାରର କାଗଜ ବ୍ୟବହାର ହେଉଛି।
ପୁରୁଣା ବ୍ୟବସ୍ଥାରେ ପ୍ରତିମାସ ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ଉପସ୍ଥାନ ବିଚାରକୁ ନେଇ କାର୍ଯ୍ୟାଳୟ ଗୁଡ଼ିକ ପକ୍ଷରୁ ବେତନ ବିଲ୍ ପ୍ରସ୍ତୁତ କରାଯାଉଛି। ଏଥିଯୋଗୁ ଡିଡିଓମାନଙ୍କ  ହାତରେ ବେତନ ବିଲ୍ ପ୍ରସ୍ତୁତି ପାଇଁ ଖୁବ୍ କମ୍ ସମୟ ରହୁଛି। ସେଥିପାଇଁ ମାସର ଶେଷ କାର୍ଯ୍ୟଦିବସରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା ସହଜ ହେଉନାହିଁ। ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀମାନଙ୍କ ଉପସ୍ଥାନ ସଂକ୍ରାନ୍ତ ଦସ୍ତାବିଜ୍କୁ କାର୍ଯ୍ୟାଳୟଗୁଡ଼ିକ ପୂର୍ବ ମାସର ୧୫ ତାରିଖରୁ ଚାଲୁଥିବା ମାସର ୧୪ ତାରିଖ ପର୍ଯ୍ୟନ୍ତକୁ ବିଚାରକୁ ନେଇ ବେତନ ବିଲ୍ ପ୍ରସ୍ତୁତ କରିବେ। ୧୫ ତାରିଖରେ କାର୍ଯ୍ୟାଳୟ ପକ୍ଷରୁ ଡିଡିଓଙ୍କୁ ଉପସ୍ଥାନ ସଂକ୍ରାନ୍ତ ଦସ୍ତାବିଜ୍ ଦାଖଲ କରିବାକୁ ହେବ। ୧୫ ତାରିଖ ଛୁଟିଥିଲେ ତାହା ପରଦିନ ଉକ୍ତ ଦସ୍ତାବିଜ୍ ଡିଡିଓଙ୍କ ନିକଟରେ ଦାଖଲ ହେବ। ଡିଡିଓମାନେ ଏଚଆରଏମଏସ୍ ବ୍ୟବସ୍ଥାକୁ ବ୍ୟବହାର କରି ବେତନ ବିଲ୍ ପ୍ରସ୍ତୁତ କରିବେ।

Comments are closed.