Odisha Link
Bridging the Missing Links in Odisha

‘ଅବକି ବାର ଟ୍ରମ୍ପ ସରକାର’ ନାରା ଉପରେ ଜୟଶଙ୍କରଙ୍କ ସ୍ପଷ୍ଟୀକରଣ, ରାହୁଲଙ୍କ କଟାକ୍ଷ

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଇଁ ପ୍ରଚାର କରୁଥିବା ଅଭିଯୋଗକୁ ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଖଣ୍ଡନ କରିଛନ୍ତି। ମୋଦି ଅବକି ବାର ଟ୍ରମ୍ପ ସରକାର ନାରା ଆମେରିକାରେ ଦେଇଥିଲେ ହେଁ ଏହାକୁ ଜୟଶଙ୍କର ଅଗ୍ରାହ୍ୟ କରିଦେଇଛନ୍ତି। ମୋଦି ଭାଷଣ ବେଳେ କୌଣସି ପ୍ରକାରର ଟ୍ରମ୍ପଙ୍କ ପ୍ରଚାର କରିନାହାନ୍ତି ବୋଲି ସେ କହିଛନ୍ତି।

ଏନେଇ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ବୈଦଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅକ୍ଷମତାକୁ ଲୁଚେଇ ଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ବିଜୟଶଙ୍କରଜୀ। ଡେମୋକ୍ରାଟିକ୍‌ ସହ ଗଭୀର ସମର୍ଥନ ଭାରତ ପାଇଁ ଗଭୀର ସମସ୍ୟା ସୃଷ୍ଟି ହେବ ବୋଲି କହିଛନ୍ତି ରାହୁଲ ଗାନ୍ଧି। ମୁଁ ଭାବୁଛି ଆପଣଙ୍କ ହସ୍ତକ୍ଷେପ ଦ୍ୱାରା ଏହି ସମସ୍ୟା ଦୂର ହୋଇପାରିବ। ଯଦି ଆପଣ ଏଥିରେ ହସ୍ତକ୍ଷେପ କରୁଛନ୍ତି, ତା’ହେଲେ ଦୟାକରି ଆପଣ ମୋଦିଜୀଙ୍କୁ କୂଟନୀତିକ ସମ୍ପର୍କ କେମିତି ସ୍ଥାପନ କରିବାକୁ ହୁଏ, ସେକଥା ଥରେ ବୁଝାଇ ଦିଅନ୍ତୁ।”

ଆମେରିକା ହ୍ୟୁଷ୍ଟନରେ ହୋଇଥିବା ହାୱଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ହଜାର ଲୋକଙ୍କୁ ଉଦ୍‌ବୋଧନ ଦେବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା। ମୋଦି ଭାଷଣ ଦେବା ବେଳେ ଅବକି ବାର ଟ୍ରମ୍ପ ସରକାର ବୋଲି କହିଥିବାରୁ ଏହାକୁ ଢାଲ କରି କଂଗ୍ରେସ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଥିଲା।

ଏବେ ଆମେରିକା ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି, “ମୋଦି କୌଣସି ପ୍ରକାରର ଅବକି ବାର ଟ୍ରମ୍ପ ସରକାର କହି ଆମେରିକା ନିର୍ବାଚନ ପାଇଁ ପ୍ରଚାର କରିନାହାନ୍ତି। ୨୦୧୬ ନିର୍ବାଚନ ବେଳେ ଟ୍ରମ୍ପ ନିଜେ ଏଭଳି ସ୍ଲୋଗାନ ଦେଇଥିଲେ। ହାୱଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ସେହି କଥା କହିଥିଲେ। ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି। ଭାରତ କୌଣସି ପ୍ରକାରରେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରେନାହିଁ। ଆମେରିକାର ନିର୍ବାଚନ ସେଠାକାର ରାଜନୀତିକ ଦଳଗୁଡ଼ିକ ଉପରେ ନିର୍ଭରେ କରେ। ଏହା ଆମ ଦେଶର ରାଜନୀତି ନୁହେଁ।

ପ୍ରଧାନମନ୍ତ୍ରୀ ମୋଦି ସେଦିନ ଯାହା କହିଥିଲେ, ସେକଥାକୁ ଭଲ ଭାବେ ତର୍ଜମା କରିବା ଦରକାର। ମୋଦି କେବଳ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ବେଳେ ଯେଉଁ ନାରା ଦେଇଥିଲେ, ସେକଥାକୁ ଦୋହରାଇଥିଲେ। ସେ କେବେ ହେଲେ ଟ୍ରମ୍ପଙ୍କୁ ଭୋଟ ଦେଇ ଜିତାଅ ବୋଲି କହିନାହାନ୍ତି। ଏହାକୁ ଆମେ ଭୁଲ ଭାବେ ତର୍ଜମା କରିଛେ। ମୋଦି କ’ଣ କୁହନ୍ତି, ସେକଥା ସେ ଭଲ ଭାବେ ଜାଣନ୍ତି। ସେ କେବେ ହେଲେ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ପ୍ରଚାର କରିନାହାନ୍ତି।”

Comments are closed.