Odisha Link
Bridging the Missing Links in Odisha

ହିନ୍ଦୁ ମହାସଭାର କାର୍ଯ୍ୟକାରିଣୀ ବୈଠକ, ସମାଜସେବୀ ଶାରଦା ପ୍ରସାଦ ମହାପାତ୍ରଙ୍କୁ ଦଳୀୟ ମୁଖପାତ୍ର ଦାୟିତ୍ବ

କଟକ: ଆଜି କଟକର ସେଲଟର ଛକ ନିକଟରେ ଥିବା ରାଜଶ୍ରୀ ଆପାର୍ଟମେଣ୍ଟର ସଭାକକ୍ଷରେ ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀର ଏକ ବୈଠକ ସଂଘଟିତ ହୋଇଯାଇଅଛି। ଉକ୍ତ ସଭାର ପ୍ରାରମ୍ଭରେ ଦଳର ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟନି ସ୍ୱନାମଧନ୍ୟ ଭାଷା ସାହିତ୍ୟ ସାଧକ ତଥା ସମାଜସେବୀ ଶାରଦା ପ୍ରସାଦ ମହାପାତ୍ରଙ୍କୁ ଦଳୀୟ ସଭ୍ୟଭାବେ ସ୍ୱାଗତ କରିବା ସହ ଦଳର ଉପାଧ୍ୟକ୍ଷ ପଦର ଦାୟିତ୍ୱ ପ୍ରଦାନ କରିବା ସହ ରାଜ୍ୟର ସଂଗଠନକୁ ଆଗେଇନେବା ସମେତ ଦଳୀୟ ମୁଖପାତ୍ର ହେବାର ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଭାରତର ସର୍ବ ପୁରାତନ ହିନ୍ଦୁ ସଂଗଠନକୁ ଶାରଦା ମହାପାତ୍ରଙ୍କ ଭଳି ଜଣେ ସଂସ୍କୃତି ସମ୍ପନ୍ନ ଯୁବ ସଂଗଠକ ଦଳକୁ ଆଗାମୀ ଦିନରେ ନୁତନ ଉଚ୍ଚତାରେ ପହଞ୍ଚାଇବା ସହ ହିନ୍ଦୁତ୍ୱର ପ୍ରଚାର ପ୍ରସାର ଦିଗରେ ସହାୟକ ହେବେ ବୋଲି ଦଳର ଅଧ୍ୟକ୍ଷା ଆଶା ପ୍ରକଟ କରିଛନ୍ତି। ସେହିପରି ଗତ ସାଧାରଣ ନିର୍ବାଚନରେ କେନ୍ଦୁଝର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଲାଲ୍ ମୋହନ ହାଂସଦାଙ୍କୁ ଦଳର ନୁତନ ଉପାଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି। କଟକ ଜିଲ୍ଲା ଅଧ୍ୟକ୍ଷା ରୂପେ ନୂତନ ଭାବେ ଶୁଭ୍ରା ଭୌମିକଙ୍କୁ ଦାୟିତ୍ୱ ଏବଂ ପ୍ରକାଶ କୁମାର ବେହୁରାଙ୍କୁ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି।

ଚଳିତ ମାସରେ ବିଜେପୁର ଉପ ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ କାଏମ ରହିଛି ଏବଂ ବିଜେପୁର ନିର୍ବାଚନ ମଣ୍ଡଳୀର ଆମର ଦଳର ଲୋକପ୍ରିୟତା ବଢିବାରେ ଲାଗିଛି। ଗତ ମାସରୁ ଆରମ୍ଭ ହୋଇଥିବା ଦଳର ସଭ୍ୟ ସଂଗ୍ରହ ଅଭିଯାନର ଅଭୁତପୂର୍ବ ସଫଳତା, ପ୍ରତିଦିନ ଦଳରେ ଯୋଗ ଦେଉଥିବା ନୁତନ ସଭ୍ୟସଂଖ୍ୟାରୁ ସହଜେ ଅନୁମେୟ। ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଅସଫଳତା, ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି, ନୂତନ ମୋଟରଜାନ ଆଇନର ଅଦୂରଦର୍ଶିତା, ଦେଶର ଆର୍ଥିକ ପ୍ରଗତିର ପଶ୍ଚାତମୁଖୀ ହେବାଦ୍ୱାରା ଦେଶରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି, ଯାହାର ପ୍ରତିଫଳନ ସିଧାସଳଖ ଭାବେ ବଜାର ଉପରେ ପଡିଛି। ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଆମେରିକାରେ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ଆଗୁଆ ନିର୍ବାଚନ ପ୍ରଚାର କରିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ। ମାତ୍ର ଦୁଇବର୍ଷରୁ କମ୍ ସମୟ ମଧ୍ୟରେ ତୃତୀୟଥର ନିର୍ବାଚନର ବୋଝ ଉଠାଉଥିବା ବିଜେପୁର ନିର୍ବାଚନ ମଣ୍ଡଳୀରେ ଏବେବି ସଡକ ପରିବହନ ବିପର୍ଯ୍ୟସ୍ତ, ବରଗଡର ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାର ଗତଥରର ପ୍ରତିଶ୍ରୁତିକୁ ପାଣିର ଗାରରେ ପରିଣତ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ବିଜୁଳି ବିଭାଗର ଅପାରଗତାକୁ ପଦାରେ ପକାଉଛି ଦିନରେ ଜଳୁଥିବା ଷ୍ଟ୍ରିଟ ଲାଇଟ୍ ଏବଂ ତୁହାକୁ ତୁହା ହେଉଥିବା ଅଘୋଷିତ ବିଜୁଳିକାଟ। କଟକ ସହରର ସମସ୍ୟାକୁ ନେଇ ମଧ୍ୟ ସରକାର ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। କଟକରେ ମୌସୁମୀ ବର୍ଷାଜଳ ସହ ଆବର୍ଜନା ବନ୍ୟା ଦେଖାଯାଉଥିବା ବେଳେ ସଡକରୁ ପିଚୁ ଉଠିଯାଇ ଖାଲଖମାରେ ପରିପୂର୍ଣ୍ଣ ସଡକ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି।

ଦେଶ ଜଳ ସଂକଟର ଉତ୍କଟ ସମସ୍ୟାରେ ପୀଡିତ ଥିବାବେଳେ ଦ୍ୱୈତନଗରୀରେ ଚବିଶ ଘଣ୍ଟା ଖୋଲା ଓ ଭଙ୍ଗା ପାଇପରୁ ଜଳନଷ୍ଟ ହେଉଥିଲେ ମଧ୍ୟ ଏହାର ପ୍ରତିକାର କରିବାରେ ସରକାର ବିଫଳ। ଦଳର ଅନ୍ୟତମ ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ ଦଳରେ ଯୋଗ ଦେଇଥିବା ନୂତନ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଦଳର ଅନ୍ୟତମ ଶାଖା ହିନ୍ଦୁ ସ୍ୱରାଜ ସେନାର ଉପାଧ୍ୟକ୍ଷ ଭାବେ ସୀତାଂଶୁ ପଣ୍ଡା, ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଭାବେ ନାରାୟଣ ମହାରଣାଙ୍କୁ ସ୍ୱାଗତ କରିଥିଲେ ଶାଖାର ରାଜ୍ୟ ଅଧ୍ୟକ୍ଷ ଧିରେନ କୁମାର ନାୟକ। ନୂତନ ଭାବେ ମୁଖପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ପ୍ରତିକ୍ରିୟାରେ ଦଳର ମୁଖପାତ୍ର ଶାରଦା ମହାପାତ୍ର କହିଲେ, ଦଳର ଆଭିମୁଖ୍ୟକୁ ଆଗେଇ ନେବାରେ ଏବଂ ଏକ ବଳିଷ୍ଠ ହିନ୍ଦୁ ସମାଜ ଗଠନ କରିବା ଆମର ପରମ କର୍ତ୍ତବ୍ୟ ହେବାସହ ଆଗାମୀ ନିର୍ବାଚନରେ ବିଜେପୁରରେ ଦଳର ଲୋକପ୍ରିୟତା ଆମର ପ୍ରାର୍ଥୀଙ୍କୁ ଉପ-ନିର୍ବାଚନର ଜିତିବାରେ ସହାୟକ ହେବ।

Comments are closed.