Odisha Link
Bridging the Missing Links in Odisha

ଚିଦାମ୍ବରମଙ୍କୁ ୧୫ ଯାଏ ଜାମିନ ମିଳିବ ନାହିଁ

ନୂଆଦିଲ୍ଲୀ: କହିବାକୁ ଗଲେ ନିରାଶାର ନୂଆ ନାମ ପି.ଚିଦାମ୍ବରମ। କାରଣ ଆଜି ପୁଣିଥରେ ନିରାଶ ହୋଇଛନ୍ତି ପି.ଚିଦାମ୍ବରମ। ଦଶହରା ପୂର୍ବରୁ ତିହାର ଜେଲରୁ ମୁକୁଳିବା ପାଇଁ ଲକ୍ଷ୍ୟ ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି। ସେ ଜରୁରୀ ଜାମିନ୍‌ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଲେ ଏହା ସମ୍ଭବ ହୋଇପାରିନାହିଁ। ଅବଶ୍ୟ ସୁପ୍ରିମକୋର୍ଟ ଆଜି ଚିଦାଙ୍କ ଆବେଦନର ଶୁଣାଣି କରିଥିଲେ। ହେଲେ ଅକ୍ଟୋବର ୧୫ ଯାଏ ଚିଦାଙ୍କୁ ଜାମିନ୍‌ ମିଳିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଚିଦାଙ୍କ ଜାମିନ ଆବେଦନ ଉପରେ ପକ୍ଷ ରଖିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଆସନ୍ତା ୧୪ ତାରିଖ ମଧ୍ୟରେ ଏହାର ଜବାବ ରଖିବ। ସିବିଆଇ ଜବାବ ରଖିବା ପରେ ଏହାକୁ ଚିଦାଙ୍କ ଓକିଲଙ୍କୁ ଦିଆଯିବ। ଚିଦାଙ୍କ ଓକିଲ ଏହାକୁ ପଢ଼ି ୧୫ ତାରିଖରେ ହେବାକୁ ଥିବା ଶୁଣାଣି ବେଳେ ନିଜର ପକ୍ଷ ରଖିବେ।

ସୁପ୍ରିମକୋର୍ଟଙ୍କ ଏଭଳି ରୁଲିଂର ଅର୍ଥ ଦଶହରା ବେଳେ ଚିଦାଙ୍କୁ ତିହାର ଜେଲରେ ହିଁ ରହିବାକୁ ପଡ଼ିବ। ଆଜି ବିଚାରପତି ଜଷ୍ଟିସ୍‌ ଆର ଭାନୁମତି ଓ ଜଷ୍ଟିସ ହୃଷିକେଷ ରୟଙ୍କ ଖଣ୍ଡପୀଠ ସିବିଆଇ ପକ୍ଷରୁ ମାମଲା ଲଢ଼ୁଥିବା ସିଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ୧୪ ତାରିଖ ମଧ୍ୟରେ ନିଜର ପକ୍ଷ ରଖିବାକୁ କହିଛନ୍ତି।

ନିଜର ପକ୍ଷ ରଖିବାକୁ ଚିଦାଙ୍କ ଦୁଇ ଜଣ ଓକିଲ କପିଲ ଶିବଲ ଓ ଅଭିଷେକ ମନୁସଂଘଭୀ କୋର୍ଟଙ୍କୁ ୩୦ ମିନିଟ୍‌ର ସମୟ ମାଗିଥିଲେ। ହେଲେ ଖଣ୍ଡପୀଠ ସିବିଆଇ ପକ୍ଷ ରଖିବା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଅଗଷ୍ଟ ୨୧ରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା। ଗତକାଲି ତାଙ୍କୁ ଦିଲ୍ଲୀର ଏକ କୋର୍ଟ ଆସନ୍ତା ୧୭ ତାରିଖ ଯାଏ ତିହାର ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.