Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଭୁବନେଶ୍ୱର: ଜୀବଜଗତରେ ସନ୍ତୁଳନ ରକ୍ଷା ନିମନ୍ତେ ଉଭୟ ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ଏକତ୍ର ସହାବସ୍ଥାନ ଏକାନ୍ତ ଆବଶ୍ୟକ। ବନ୍ୟପ୍ରାଣୀଙ୍କ ମାଧ୍ୟମରେ ଆମର ଅସ୍ତିତ୍ୱ ଓ ସ୍ଥାୟିତ୍ୱ ବଜାୟ ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ସମୃଦ୍ଧି ଓ ସଂରକ୍ଷଣରେ ଜନସାଧାରଣ ଏବଂ ସାମାଜିକ ସଂଗଠନଗୁଡ଼ିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ଜୟଦେବ ଭବନଠାରେ ଅନୁଷ୍ଠିତ ୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଆରୁଖ କହିଥିଲେ, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପ୍ରାକୃତିକ ପରିବେଶରେ ତିନିଗୋଟି ପ୍ରଜାତିର କୁମ୍ଭୀର, କଳା ମହାବଳ ବାଘ, ଲକ୍ଷଲକ୍ଷ ସଂଖ୍ୟାରେ ପରିବ୍ରାଜକ ପକ୍ଷୀ, ବିବିଧତାରେ ପରିପୂର୍ଣ୍ଣ ହେନ୍ତାଳ ବନ, ଅଲିଭ୍‌ ରିଡ୍‌ଲେ କଇଁଛ ଦେଖିବାକୁ ମିଳେ। ଏହି ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସସ୍ଥଳୀ ବାହାରେ ତାଙ୍କର ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଲୁପ୍ତପ୍ରାୟ ୫୨ ପ୍ରଜାତି ସମେତ ୧୫୫ ପ୍ରଜାତିର ବନ୍ୟଜୀବଙ୍କ ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ବନ୍ୟଜନ୍ତୁ ଆକ୍ରମଣରେ ମୃତବ୍ୟକ୍ତିଙ୍କ ପରିବାର ନିମନ୍ତେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସ୍ଥାୟୀ ଭାବେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେଉଛନ୍ତି। ଏତଦ୍‌ବ୍ୟତୀତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ବାଲୁଖଣ୍ଡ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଯୁଦ୍ଧକାଳୀନ ଭିତ୍ତିର ମରାମତି କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ ଆରୁଖ ସୂଚନା ଦେଇଥିଲେ ।
ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡ.ମୋନା ଶର୍ମା କହିଲେ, ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଯେତିକି ପ୍ରସିଦ୍ଧ, ବିରଳ ବନ୍ୟଜନ୍ତୁ ମଧ୍ୟ ସେତିକି ଆକର୍ଷଣୀୟ। ଏହାକୁ ଭିତ୍ତିକରି ଓଡ଼ିଶାର ୪୦ ଗୋଟି ସ୍ଥାନରେ ପରିବେଶ ପର୍ଯ୍ୟଟନର ବିକାଶ କରାଯାଇଛି, ଯାହାଦ୍ୱାରା ସ୍ଥାନୀୟ ଗ୍ରାମବାସୀଙ୍କ କର୍ମନିୟୋଜନ ହୋଇପାରିଛି। ଓଡ଼ିଶାର ଜଳବାୟୁ ଏବଂ ପରିବେଶ ବନ୍ୟପ୍ରାଣୀଙ୍କ ବସବାସ ପାଇଁ ଅନୁକୂଳ ଥିବାରୁ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ମଧ୍ୟ ବନ୍ୟପ୍ରାଣୀମାନେ ଓଡ଼ିଶାକୁ ଚାଲି ଆସୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ମିଶନ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି।
ରାଜ୍ୟ ବନବିଭାଗର ମୁଖ୍ୟ ତଥା ପ୍ରଧାନ ମୁଖ୍ୟ ବନସଂରକ୍ଷକ ଡ.ସନ୍ଦୀପ ତି୍ରପାଠୀ କହିଥିଲେ, ରାଜ୍ୟ ବନବିଭାଗର ନିରନ୍ତର ପ୍ରୟାସ କ୍ରମେ ରାଜ୍ୟର ଜଙ୍ଗଲ ଆୟତନ ୮୮୫ ବର୍ଗ କିଲୋମିଟର ବୃଦ୍ଧି ପାଇଛି। ବନ୍ୟଜନ୍ତୁଙ୍କ ବିଚରଣକୁ ଅନୁଧ୍ୟାନ କରିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି। ବନ୍ୟଜନ୍ତୁ ପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କ ଗୁଣାତ୍ମକ ପ୍ରଶିକ୍ଷଣ ଉପରେ ଡ.ତି୍ରପାଠୀ ଗୁରୁତ୍ୱ ଆରୋପ କରିଥିଲେ।
ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡ.ହରିଶଙ୍କର ଉପାଧ୍ୟାୟ ତାଙ୍କର ବକ୍ତବ୍ୟରେ ବନ୍ୟପ୍ରାଣୀ ସପ୍ତାହ ସଂପର୍କରେ ସୂଚନା ପ୍ରଦାନ ସହ ହାତୀମାନଙ୍କ ଚଳପ୍ରଚଳ ନିରୀକ୍ଷଣ ପାଇଁ ‘ଗଜବନ୍ଧୁ’ ଯୋଜନା ଏବଂ ଗ୍ରାମମାନଙ୍କ ରାସ୍ତାକଡ଼ରେ ସୌରରଶ୍ମି ଆଲୋକବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ।
ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପୁରୀ ଜିଲ୍ଲା ଅସ୍ତରଙ୍ଗର ଶ୍ରୀ ବିଚିତ୍ରାନନ୍ଦ ବିଶ୍ୱାଳଙ୍କୁ ପ୍ରଦାନ କରାଯାଇଥିଲା। କଇଁଛ, ଡଲ୍‌ଫିନ୍‌, ହରିଣ, ଘରଚଟିଆ ଏବଂ ସାପଙ୍କୁ ସୁରକ୍ଷା ଦେବା ସହ ଶିକାରୀମାନଙ୍କଠାରୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷାଦେବା କ୍ଷେତ୍ରରେ ଶ୍ରୀ ବିଶ୍ୱାଳ ୨୦୦୦ ମସିହାରୁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ବନ୍ୟପ୍ରାଣୀ ଫଟୋଗ୍ରାଫି ପ୍ରତିଯୋଗିତାର ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭାଗର ବିଭିନ୍ନ ଶାଖା ଏବଂ ନନ୍ଦନକାନନ ପ୍ରାଣୀଉଦ୍ୟାନ ତରଫରୁ ପ୍ରକାଶିତ ‘ୱାଇଲଡ୍‌ ଲାଇଫ୍‌ ଓଡ଼ିଶା-୨୦୧୯’, ‘ମାମାଲସ୍‌ ଅଫ୍‌ ଭରତପୁର-ଇନ୍‌ ଦ ଲଙ୍ଗସ୍‌ ଅଫ୍‌ ଭୁବନେଶ୍ୱର’, ‘ଆନୁଆଲ୍‌ ରିପୋର୍ଟ ୨୦୧୮-୧୯ କମୁ୍ୟନିଟି ମ୍ୟାନେଜଡ୍‌ ନେଚର ଟୁରିଜିମ୍‌ ଇନ୍‌ ଓଡ଼ିଶା’, ନନ୍ଦନକାନନର ବନ୍ୟପ୍ରାଣୀ ସପ୍ତାହ ‘ନିଉଜ୍‌ଲେଟର’, ‘ଅଲିଭ୍‌ ରିଡ୍‌ଲେ କଚ୍ଛପ ଆତ୍ମକଥା’, ‘ଆପ୍ଲିକେସନ୍‌ ଅଫ୍‌ ଜିଆଇଏସ୍‌ ଆଣ୍ଡ ଡ୍ରୋନ୍‌ ଟେକ୍‌ନୋଲୋଜି ଇନ୍‌ ଫରେଷ୍ଟି୍ର ଆଣ୍ଡ ୱାଇଲଡ୍‌ ଲାଇଫ୍‌’ ଏବଂ ‘ଫ୍ଲୋରା ଡାଇଭରସିଟି ଅଫ୍‌ ବଣାଇ’ ଆଦି ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ବନ୍ୟଜନ୍ତୁଙ୍କ ସଂପର୍କିତ ଏକ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ଆରୁଖ ଉଦ୍‌ଘାଟନ କରିଥିଲେ। ପରିଶେଷରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ନିର୍ଦ୍ଦେଶକ ଶ୍ରୀ ଶଶି ପଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ଉତ୍ସବରେ ଜଙ୍ଗଲ ଓ ପରିବେଶ ବିଭାଗର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ବନସୁରକ୍ଷା ସମିତିର ସଦସ୍ୟବୃନ୍ଦ, ପରିବେଶ ଉନ୍ନୟନ ସମିତିର ସଦସ୍ୟଙ୍କ ସମେତ ପରିବେଶବିଦ୍‌, ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ ।

Comments are closed.