Odisha Link
Bridging the Missing Links in Odisha

ଚେନ୍ନାଇରୁ ଚୋରି ଆନନ୍ଦପୁରରେ ଗିରଫ

ଆନନ୍ଦପୁର: ଚେନ୍ନାଇରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ମାମଲାରେ ଜଣେ ଲୋକକୁ ପୁଲିସ ଗରିଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳରେ ଥିବା ଦରଡ଼ିପାଳ ଗାଁରୁ ଅଭିଯୁକ୍ତ ଗୌରାଙ୍ଗ ଜେନାକୁ ଗତକାଲି ବିଳମ୍ବିତ ରାତିରେ ଚେନ୍ନାଇ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଗୌରାଙ୍ଗ ଜେନା ଚେନ୍ନାଇରେ ଜଣେ ଲୋକଙ୍କ ଘରେ କାମ କରୁଥିଲା। ଘରେ କେହି ନଥିବାର ସୁଯୋଗ ନେଇ ସେ ମାଲିକଙ୍କ ଘରେ ଥିବା ସୁନା ଅଳଙ୍କାର ଲୁଟି ନେଇ ନିଜ ଗାଁକୁ ଚାଲି ଆସିଥିଲା।
ଏସଂପର୍କରେ ଚେନ୍ନାଇର ଏକ ଥାନାରେ ଅଭିଯୋଗ ହେବାପରେ ଗତ ଅଗଷ୍ଟ ମାସ୧୨ ତାରିଖରେ ଉକ୍ତ ଥାନାର ପୁଲିସ ଦରଡ଼ିପାଳ ଗାଁରୁ ଅଭିଯୁକ୍ତ ଗୌରାଙ୍ଗ ଜେନାକୁ ଗିରଫ କରିଥିଲା। ମାତ୍ର ସେତେବେଳେ ଚେନ୍ନାଇ ପୁଲିସ ଘସିପୁରା ଥାନାର ସହାୟତା ନେଇ ନଥିଲା। ସେତେବେଳେ ଗୌରାଙ୍ଗ ଜେନାକୁ ଗିରଫ କରିବାକୁ ବିରୋଧ କରି ଗ୍ରାମବାସୀ ତାକୁ ଛଡ଼ାଇ ନେଇଥିଲେ।
ଏହାପରେ ଅଭିଯୁକ୍ତ ଗୌରାଙ୍ଗ ଜେନା ଫେରାର ହୋଇଯାଇଥିଲା। ହେଲେ ଖବରପାଇ ଗତକାଲି ଚେନ୍ନାଇ ପୁଲିସ ଘସିପୁରା ଥାନାର ସହାୟତା ନେଇ ଅଭିଯୁକ୍ତ ଗୌରାଙ୍ଗ ଜେନା ଘରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। କିନ୍ତୁ ତା’ଠାରୁ ଚୋରି ହୋଇଥିବା ସୁନା ଅଳଙ୍କାର ଜବତ ହୋଇ ନଥିବା କୁହାଯାଉଛି। ଏହାପରେ ଗୌରାଙ୍ଗ ଜେନାକୁ ଚେନ୍ନାଇ ନିଆଯିବ ବୋଲି ଜଣାଯାଇଛି।

Comments are closed.