Odisha Link
Bridging the Missing Links in Odisha

ରାଫେଲ୍‌ ଗ୍ରହଣ କଲେ ରାଜନାଥ, ବିମାନରେ ଲେଖିଲେ ଓଁ

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ବିଜୟା ଦଶମୀ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ନିଧନ କରି ବିଜୟ ଲାଭ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ଅପରପକ୍ଷେ ଆଜି ମଧ୍ୟ ହେଉଛି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ ଭାରତ ଆଜି ଇତିହାସ ରଚିଛି। କାରଣ ଆଜିର ଏହି ପବିତ୍ର ଦିନରେ ଭାରତକୁ ମଳିଛି ପ୍ରଥମ ରାଫେଲ ବିମାନ।

ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ରାଫେଲ୍‌କୁ ଗ୍ରହଣ କରିଛନ୍ତି। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍‌ର ମେରିଜ୍‌ନାକ୍‌ ଫାସିଲିଟିଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଗ୍ରହଣ କରିଛନ୍ତି। ଏହି ଅବସରରେ ଆରବି-୦୦୧ ଲେଖାଥିବା ରାଫେଲ୍‌କୁ ଫୁଲ ଓ ସିନ୍ଦୁର ଲଗାଇ ପୂଜା କରିଛନ୍ତି। ହିନ୍ଦୁ ରୀତିନୀତି ଅନୁସାରେ ଘରକୁ କୌଣସି ଗାଡି ଆଣିଲେ ତାର ପ୍ରଥମେ ପୂଜା କରାଯାଏ। ପୂଜା ସରିବା ପରେ ଗାଡିର ଚକ ତଳେ ଲେମ୍ବୁ ଥୋଇ ତାକୁ ଚପାଯାଏ। ଠିକ ଏଭଳି ଭାବେ ପ୍ରଥମ ରାଫେଲକୁ ଗ୍ରହଣ କରିଥିଲେ ରାଜନାଥ। ପୂଜା ସାରିବା ପରେ ରାଫେଲ ବିମାନରେ ରାଜନାଥ ସିଂହ ଓଁ ଲେଖିଥିଲେ। ଏଥିସହିତ ରାଜନାଥ ସିଂହ ରାଫେଲ ବିମାନରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ରାଫେଲ ଗ୍ରହଣ କରିସାରିବା ପରେ ରାଜନାଥ ଏହି ଦିନକୁ ଐତିହାସିକ ଦିବସ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଉତ୍ସବ ସତରେ ଐତିହାସିକ ଏବଂ ବାୟୁସେନା ପାଇଁ ଐତିହାସିକ ଦିନ। ଏହି ଉତ୍ସବ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବ। ଆଜି ୮୭ତମ ବାୟୁସେନା ଦିବସ ଏବଂ ନକାରାତ୍ମକ ଶକ୍ତି ଉପରେ ସକାରାତ୍ମକ ଶକ୍ତିର ବିଜୟର ଦିନ ବିଜାୟଦଶମୀ। ଆଜି ରାଫେଲ ଡେଲିଭରୀ ଆରମ୍ଭ ହୋଇଥିବାରୁ ମୁଁ ଆନନ୍ଦିତ। ମୁଁ ନିଶ୍ଚିତ ଏହା ବାୟୁସେନାର ଶକ୍ତି ବଢ଼ାଇବ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗୀତା ବଢ଼ିବ ବୋଲି ଆଶା କରୁଛି।”

Comments are closed.