Odisha Link
Bridging the Missing Links in Odisha

ସଲମାନ ଖୁର୍ଶୀଦ କହିଲେ ‘ଆମ ନେତା ଆମକୁ ଛାଡ଼ି ଚାଲିଗଲେ’, ଭାଜପା କହିଲା..

ନୂଆଦିଲ୍ଲୀ: କଂଗ୍ରେସରେ ଚାଲିଥିବା ଅନ୍ତର୍ଦ୍ବନ୍ଦ୍ବ ନେଇ ଦଳ ଭିତରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏହା ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ଶୀଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଖୁର୍ଶୀଦ ନିଜ ଦଳକୁ ସମାଲୋଚନା କରି କହିଛନ୍ତି, କଂଗ୍ରେସର ସ୍ଥିତି ଯେଉଁଭଳି ରହିଛି, ସେଥିରେ ମହାରାଷ୍ଟ୍ର ଏବଂ ହରିୟାଣାରେ ନିର୍ବାଚନ ଜିତିବାର ସମ୍ଭାବନା ନାହିଁ। ନିର୍ବାଚନ ଜିତିବା ଦୂରର କଥା, ଦଳର ଭବିଷ୍ୟତକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦଳ ସଂଘର୍ଷ ମଧ୍ୟରେ ଗତି କରୁଛି ଏବଂ ନିଜର ଭବିଷ୍ୟତ ମଧ୍ୟ ସ୍ଥିର କରିପାରିବ ନାହିଁ। ଆମର ସବୁଠାରୁ ବଡ଼ ସମସ୍ୟା ଏହା ଯେ, ଆମ ନେତା(ରାହୁଲ ଗାନ୍ଧୀ) ଆମକୁ ଛାଡ଼ି ଚାଲିଗଲେ। ସେ ଦଳର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରି କହିଛନ୍ତି, ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦଳର ସଙ୍କଟ ବଢ଼ାଇଛି। ତାଙ୍କର ଏହି ନିଷ୍ପତ୍ତି କାରଣରୁ ଦଳର ପରାଜୟ ପରେ ଆବଶ୍ୟକ ଆତ୍ମସମୀକ୍ଷା ବି କରିପାରିଲା ନାହିଁ। ନିର୍ବାଚନ କାହିଁକି ହାରିଲେ ତାହାର ବିଶ୍ଳେଷଣ ପାଇଁ ମଧ୍ୟ ଏକାଠି ହୋଇପାରିଲେ ନାହିଁ।

ଏହାପରେ ଭାଜପା ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ, ଖୁର୍ସିଦ ଯେଉଁ ବୟାନ ଦେଇଛନ୍ତି ତାହା ସ୍ପଷ୍ଟ କରୁଛି କି ମହାରାଷ୍ଟ୍ରର ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟଲାଭ କରିବ ନାହିଁ। ତେଣୁ ଏବେଠରୁ ଖୁର୍ସିଦ ଏହା ସ୍ବୀକାର କରି ନେଇଛନ୍ତି। ଖୁର୍ସିଦଙ୍କ କଥାରୁ ଯାହା ଲାଗୁଛି ସେ କହିବାକୁ ଚାହୁଁଛନ୍ତି କି ରାହୁଲ ଏବେ କଂଗ୍ରେସ ଛାଡିଦେଲେ, ସୋନିଆ ପ୍ରସ୍ତୁତି ପଥେ ରହିଛନ୍ତି। ତେଣୁ ଏହାର ଅର୍ଥ କଂଗ୍ରେସ ନିକଟରେ ନା ଅଛନ୍ତି କେହି ନେତା ନା ନୀତି ନା କୌଣସି ନିୟତ ବା ଉଦ୍ଦେଶ୍ୟ ବୋଲି ସମ୍ବିତ ଟୁଇଟ୍‌ କରି କହିଛନ୍ତି।

Comments are closed.