Odisha Link
Bridging the Missing Links in Odisha

ଦୀପାବଳି ପୂର୍ବରୁ ବଢ଼ିଲା ଡିଏ, କଶ୍ମୀର ପାଇଁ ସ୍ବତନ୍ତ୍ର ଘୋଷଣା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ିଛି। ଏ ନେଇ ସରକାରଙ୍କ ତରଫରୁ ଆଜି ଘୋଷଣା କରାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ। ଏଥିଯୋଗୁଁ ସରକାରଙ୍କ ଉପରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ସରକାର ଏହି ମହଙ୍ଗା ଭତ୍ତା ବୃଦ୍ଧିକୁ ଦିପାବଳୀ ଉପହାର ବୋଲି କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ଅବସରରେ ମହଙ୍ଗା ଭତ୍ତା ବୃଦ୍ଧି ବାବଦରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ସେ କହିଛନ୍ତି। ପୂର୍ବରୁ ୧୨ ପ୍ରତିଶତ ମହଙ୍ଗା ଭତ୍ତା ଥିବା ବେଳେ ଏବେ କେନ୍ଦ୍ର ଏହାକୁ ଆଉ ୫ ପ୍ରତିଶତ ବୃଦ୍ଧି କରି ୧୭ ପ୍ରତିଶତ କରିଛନ୍ତି।

ସେହିପରି ୫, ୩୦୦ ବିସ୍ଥାପିତ କଶ୍ମୀର ପରିବାର (ଯେଉଁମାନେ କଶ୍ମୀର ବାହାରେ ରହୁଛନ୍ତି) ପୁଣି ଥରେ କଶ୍ମୀରରେ ରହିବା ପାଇଁ ପ୍ରତି ପରିବାର ପିଛା ୫.୫ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେବେ ବୋଲି ଆଜି କ୍ୟାବିନେଟ୍ ମିଟିଂରେ ନିଷ୍ପତ୍ତି ନିଆଯାଇଛି। ଏହି ବିସ୍ଥାପିତ ମାନେ ଦୁଇ ଦେଶ ଭାଗବଣ୍ଟା ହେବା ବେଳେ ପିଓକେରୁ ଭାରତ ଆସିଥିଲେ ଏବଂ ପରେ କଶ୍ମୀର ବାହାରେ ବସବାସ କରିଥିଲେ। ଏହି ବିସ୍ଥାପିତ ପରିବାରକୁ ଆର୍ଥିକ ସହାୟତା ମିଳିବ ବୋଲି ପ୍ରଧାନମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିଲେ। ଏବେ ସେହି ଟଙ୍କା ଦିଆଯିବ ବୋଲି ଆଜି ବସିଥିବା କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Comments are closed.