Odisha Link
Bridging the Missing Links in Odisha

ଆଜି ବିଶ୍ବ ଡାକ ଦିବସ, ଡାକଘର ବିଷୟରେ ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ଡାକ ଦିବସ। ଏଥିପାଇଁ ଆଜି ସାରା ବିଶ୍ବ ପାଳନ କରୁଛି ବିଶ୍ବ ଡାକ ଦିବସ। ୧୮୭୪ ମସିହା ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟ ୟୁନିୟନ ଗଠନ ପାଇଁ ସ୍ବିଜରଲାଣ୍ଡର ବର୍ନରେ ୨୨ଟି ଦେଶ ମିଶି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ପ୍ରଥମ ଏସୀୟ ଦେଶ ଭାବେ ଭାରତ ୟୁନିଭରସାଲ ପୋଷ୍ଟ ୟୁନିୟନର ସଦସ୍ୟ ହୋଇଥିଲା। ଆନନ୍ଦ ମୋହନ ନରୁଲା ନାମକ ଜଣେ ଭାରତୀୟଙ୍କ ପ୍ରସ୍ତାବ କ୍ରମେ ୧୯୬୯ ମସିହାରେ ଟୋକିଓରେ ହୋଇଥିବା ଏକ ସମ୍ମିଳନୀରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବାକୁ ଘୋଷଣା ହୋଇଥିଲା।

ଭାରତରେ କେବେ ଆରମ୍ଭ ହୋଇଥିଲା ଡାକସେବା:
ଅକ୍ଟୋବର ୧, ୧୮୫୪ରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ସ୍ଥାପନା କରିଥିଲେ। ଦେଶରେ ୧୭୬୬ରେ ଲର୍ଡ କ୍ଲାଇବଙ୍କ ଦ୍ୱାରା ସ୍ଥାପିତ ଡାକ ବ୍ୟବସ୍ଥାର ବିକାଶ ଓ୍ବାରେନ ହେଷ୍ଟିଙ୍ଗ୍ସ କରିଥିଲେ। ୧୭୭୪ରେ କୋଲକାତାରେ ସେ ଜିପିଓ ସ୍ଥାପନା କରିଥିଲେ। ଚେନ୍ନାଇ ଏବଂ ମୁମ୍ବାଇରେ ଜେନେରାଲ ପୋଷ୍ଟ ଅଫିସ୍‌ ୧୭୮୬ ଏବଂ ୧୭୯୩ରେ ହୋଇଥିଲା। ଏବେ ୧୪୨ଟି ଦେଶରେ ପୋଷ୍ଟା କୋଡ ଉପଲବ୍ଧ ରହିଛି। ଭାରତୀୟ ଡାକ ବିଭାଗ ପିନକୋର୍ଡ ନମ୍ବର ଆଧାରରେ ଡାକ ବିତରଣ ବ୍ୟବସ୍ଥା କାର୍ଯ୍ୟ କରେ। ପିନ୍‌କୋଡ୍‌ ନମ୍ବର ଅଗଷ୍ଟ ୧୫, ୧୯୭୨ରେ ହୋଇଥିଲା।

ଦୁନିଆର ସବୁଠାରୁ ଉଚ୍ଚ ଡାକଘର ବିଷୟରେ ଜାଣନ୍ତୁ:
ଆଜିର ସ୍ମାର୍ଟଫୋନର ଯୁଗରେ କିଏ ଚିଠି ପଠାଉଛି? ଏମିତି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସୁଥିବ। ହେଲେ ଆମ ଦେଶରେ ଏମିତି ବହୁତ ଯାଗା ଅଛି ଯେଉଁଠି ଚିଠି ହିଁ ହେଉଛି ଭଲ ମନ୍ଦ ଜାଣିବାର ପ୍ରମୁଖ ମାଧ୍ୟମ। ଏଥିସହିତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ସବୁଠାରୁ ଉଚ୍ଚ ଡାକଘର ଆମ ଦେଶ ଭାରତରେ ଅଛି।
ହିମାଚଳ ପ୍ରଦେଶର ହକ୍କିମ ଗ୍ରାମରେ ଅବସ୍ଥିତି ଦୁନିଆର ସବୁଠାରୁ ଉଚ୍ଚ ଡାକଘର। ୧୪୫୬୭ ଫୁଟ ଅର୍ଥାତ୍‌ ୪୪୪୦ ମିଟର ଉପରେ ଅଛି ଏହି ଡାକଘର। ଯେଉଁଠି ନିଶ୍ବାସ ପ୍ରଶ୍ବାସ ନେବାକୁ ମଧ୍ୟ କଷ୍ଟ ହୋଇଥାଏ। ଏହି ସ୍ଥାନରେ ୧୯୮୩ ମସିହାରୁ ଡାକଘର ଅଛି।

Comments are closed.