Odisha Link
Bridging the Missing Links in Odisha

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭସାଣ ଶେଷ, କଟକ ଦେବୀଗଡାରେ ଚାଲିଛି ମୂର୍ତ୍ତି ବିସର୍ଜନ

ଭୁବନେଶ୍ବର: କଟକ, ଭୁବନେଶ୍ବର ସମେତ ସାରା ରାଜ୍ୟରେ ମା’ଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ। ଭସାଣ ଶୋଭାଯାତ୍ରାରେ କମ୍ପୁଥିଲା ରାଜରାସ୍ତା। ନାଚ, ଗୀତରେ ଝୁମିଥିଲେ ଶ୍ରଦ୍ଧାଳୁ। କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର- ସବୁଠି ମା’ ବିଦାୟ ଲାଗି ହୋଇଥିଲା ଶୋଭାଯାତ୍ରା। ଭସାଣିରେ ପାରମ୍ପରିକ ନୃତ୍ୟ ଗୀତର ତାଳେତାଳେ ଝୁମିଥିଲେ ଶ୍ରଦ୍ଧାଳୁ।
ଭସାଣି ଶୋଭାଯାତ୍ରା ପାଇଁ କମ୍ପିଥିଲା ଟ୍ବିନ୍ ସିଟି। ରାଜଧାନୀର ୪ଟି ସ୍ଥାନରେ ମେଢ ଗୁଡିକ ଏକାଠି ହେବା ପରେ ଭସାଣି ଶୋଭଯାତ୍ରା ହୋଇଥିଲା। ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ୨୦ରୁ ଅଧିକ, ସହିଦନଗରରେ ୨୫ରୁ ଅଧିକ, ଉତ୍ତର ଭୁବନେଶ୍ବର କ୍ଲବ୍ ଟାଉନ ପଡିଆରେ ୨୨ଟି ମେଢ ଏବଂ ପୁରୁଣା ଭୁବନେଶ୍ବରରେ ୨୦ରୁ ଅଧିକ ମେଢ ଭସାଣିରେ ସାମିଲ ହୋଇଥିଲେ।
ସେହିଭଳି କଟକ ସହରରେ ପାରମ୍ପରିକ ଢଙ୍ଗରେ ହୋଇଛି ଭସାଣ। ବିଭିନ୍ନ ସାହିରେ ମେଢ ସାହି ପରିକ୍ରମା ପରେ ମୁଖ୍ୟ ରାସ୍ତାକୁ ଆସି ଦେବୀଗଡା ଅଭିମୁଖେ ଧାଡି ଧାଡିହୋଇ ଯାଇଥିଲା। ନାଚ ଗୀତରେ ଦୁଲୁକିଥିଲା କଟକର ଗଳିକନ୍ଦି। ଭସାଣ ପାଇଁ ୫୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଆରପିଏଫ୍ ମୁତୟନ ଥିଲେ। ତେବେ କଟକ ଦେବୀଗଡାରେ ଏବେବି ଆଉ କିଛି ମେଢ ବିସର୍ଜନ ଚାଲିଛି।

Comments are closed.