Odisha Link
Bridging the Missing Links in Odisha

ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମଙ୍ଗୋଲିଆ: ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୬ ତାରିଖରୁ ଭାରତର ଉଚ୍ଚ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଅଛନ୍ତି। ଏହି ଗସ୍ତକାଳରେ ସେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଉଖନାଗିନ୍ ଖୁରେଲସୁଖଙ୍କୁ ଭେଟି ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଉର୍ଜା କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଆଲୋଚନା କରିବା ସହ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଉଖନାଗିନ୍ ଖୁରେଲସୁଖ୍‌, ରାଜ୍ୟପାଳ ଏବଂ ମଙ୍ଗୋଲିଆର ୬ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଭାରତ ସହାୟତାରେ ମଙ୍ଗୋଲିଆରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ତୈଳ ବିଶୋଧନାଗାରର ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ସେ କହିଥିଲେ ଯେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଥିବା ବହୁ ପୂରାତନ ସମ୍ପର୍କ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଆହୁରି ଶକ୍ତିଶାଳି ହୋଇଛି । ୧.୨୩୬ ମିଲିୟନ ଆମେରିକୀୟ ଡଲାରର ଭାରତୀୟ ପୁଞ୍ଜି ନିବେଶରେ ମଙ୍ଗୋଲିଆ ତୈଳ ବିଶୋଧନା କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିିଆର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ, ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ୍ କରିଛି । ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ସେ କହିଛନ୍ତି ଯେ ଭାରତ ମଙ୍ଗୋଲିଆ ସହ ନିଜର ଘନିଷ୍ଠ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଯଥାଚିତ୍ ଗୁରୁତ୍ୱ ଦେଇଥାଏ । ବୌଦ୍ଧ ପରମ୍ପରା ଓ ସଂସ୍କୃତି ହେତୁ ଭାରତ ଓ ମଙ୍ଗୋଲିଆ ଆଧ୍ୟାତ୍ମିକ ପଡୋଶୀ ମଧ୍ୟ ହୋଇପାରିଛି ବୋଲି ସେ କହିଛନ୍ତିା

ସେ ଆହୁରି କହିଛନ୍ତି ଯେ ଭାରତ ସହାୟତାରେ ୧.୫ ମିଲିୟନ ମେଟ୍ରିକ୍ ଟନ୍ ତୈଳ ବିଶୋଧନାଗାର ନିର୍ମାଣ ଆମ ବନ୍ଧୁତ୍ୱର ପରିଚୟ । ମଙ୍ଗୋଲିଆର ଅନୁରୋଧ କ୍ରମେ ୧ ବିଲିୟନ ଆମେରିକୀୟ ଡଲାର ବ୍ୟତୀତ ଭାରତ ଆହୁରି ଅତିରିକ୍ତ ୨୩୬ ଆମେରିକୀୟ ମିଲିୟନ ଡଲାର ସହାୟତା ଦେବାକୁ ଘୋଷଣା କରିଛି ବୋଲି ସେ କହିଛନ୍ତି । ଏହି ପ୍ରକଳ୍ପ ମଙ୍ଗୋଲିଆର ଅର୍ଥନୀତି ବୃଦ୍ଧି କରିବାରେ ସହାୟକ ହେବ । ଏହାସହ ବିଶୋଧନାଗାର ଓ ପାଇପଲାଇନ ସଂଚାଳନରେ ସହାୟକ ଉଦ୍ୟୋଗ ଗୁଡିକର ମଧ୍ୟ ବିକାଶ ହେବ । ଏହି ଗସ୍ତ କାଳରେ ମଙ୍ଗୋଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ସ୍ତରରେ ଉର୍ଜା ଓ ଖଣିଜ ପଦାର୍ଥର ଆଦାନପ୍ରଦାନରେ ସହଯୋଗ ଏବଂ ମଙ୍ଗୋଲିଆ ସହ ବ୍ୟବସାୟ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ମଙ୍ଗୋଲିଆର ରାଜ୍ୟ ସଚିବ ଏବଂ ବୈଦେଶିକ ମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ୍ କରି ଆଲୋଚନା କରିଥିଲେ ।

Comments are closed.