Odisha Link
Bridging the Missing Links in Odisha

ରକ୍ତଦାନ ଶିବିରରେ ଜନ୍ମଦିନ ପାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମତିଥି। ଏହି ଦିନ ବିଜେଡି ରାଜ୍ୟବ୍ୟାପୀ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ ରଖିଛି। ନବୀନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାଙ୍କ ଗହଣରେ ଜନ୍ମଦିନ ପାଳିବେ। ଦଳ ପକ୍ଷରୁ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଜୀବନବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ଏହି ସୂଚନା ଦେଇଛନ୍ତି।
ବିଗତ ଦୁଇ ଦଶନ୍ଧି ଧରି ରାଜ୍ୟବାସୀଙ୍କ ସେବା କରି ଆସୁଥିବା ବିଜୁ ଜନତା ଦଳ ନିଜ ସାମଜିକ ପ୍ରତିବଦ୍ଧତାର ଅଂଶ ସ୍ବରୂପ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାଚ୍ଛାକୃତ ରକ୍ତଦାନ ଅଭିଯାନ ଚଳାଇ ଆସିଛି। ୨୦୧୫ ମସିହା ମାର୍ଚ୍ଚ ୫ ତାରିଖ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୯୯ତମ ଜୟନ୍ତୀରୁ ଏହା ଶୁଭାରମ୍ଭ ହୋଇଥିଲା। ରାଜ୍ୟର ଅଗଣିତ ଛାତ୍ର, ଯୁବକ, ମହିଳା, ଶ୍ରମିକ, କୃଷକ, ସଂଖ୍ୟାଲଘୁ, ଆଇନଜୀବୀ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବିଜେଡିର ଶୁଭେଚ୍ଛୁ ତଥା ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଏହି କାର୍ଯ୍ୟକ୍ରମ ବର୍ଷ ତମାମ ବିଭିନ୍ନ ଜିଲ୍ଲା, ବ୍ଲକ, ସହରାଞ୍ଚଳ ଓ ପଞ୍ଚାୟତରେ ଆୟୋଜନ କରାଯାଇଛି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏ ପର୍ଯ୍ୟନ୍ତ ୩ଲକ୍ଷ ୮ହଜାର ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହାକୁ ଆବଶ୍ୟକତା ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଛି।
ସେ କହିଥିଲେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଜନରେ ପରିଣତ କରିବା ପାଇଁ ବିଜୁ ଜନତା ଦଳ ନିରନ୍ତର ପ୍ରୟାସ ଜାରି ରଖିଛି। ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟର ଜନସାଧାରଣଙ୍କୁ ସ୍ବେଚ୍ଛାରେ ରକ୍ତଦାନ କରିବା ପାଇଁ ଆହ୍ବାନ ଦେଇ ଆସୁଛନ୍ତି। ଏହି କାର୍ଯ୍ୟକ୍ରମର କ୍ରମାଗତ ସଫଳତାକୁ ଦୃଷ୍ଟିରେ ରଖି ଶ୍ରୀ ପଟ୍ଟନାୟକଙ୍କ ୭୪ତମ ଜନ୍ମ ତିଥିରେ ବିଜେଡି ରାଜ୍ୟବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରୁଛି।
ଭୁବନେଶ୍ବରସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ନବୀନ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ। ବିଜୁ ଜନତା ଦଳର ଶୁଭେଚ୍ଛୁ, କାର୍ଯ୍ୟକର୍ତ୍ତା, ସ୍ଥାନୀୟ ନେତୃମଣ୍ଡଳୀ ଓ ଜନସାଧାରଣଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହେବ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଲନୀରେ ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଣବ କୁମାର ବଳବନ୍ତରାୟ, କାର୍ଯ୍ୟକ୍ରମର ସଂଯୋଜକ ବିଜୟ ନାୟକ ଓ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.