Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିରର ଜମି ଚିହ୍ନଟ ପାଳି

ଭୁବନେଶ୍ବର: ଶ୍ରୀ ମନ୍ଦିରର ବିକାଶ ପରେ ଏବେ ରାଜ୍ୟ ସରକାରଙ୍କ ନଜର ଏକାମ୍ରକ୍ଷେତ୍ର ଉପରେ। ଭୁବନେଶ୍ୱରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ଜବରଦଖଲ ହଟାଯିବା ଉପରେ ଆସନ୍ତା ମଙ୍କଳବାର ପଦକ୍ଷେପ ନିଆଯିବ। ବିଡିଏ, ବିଏମ୍‌ସି ଓ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଏହି ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟ ଉପରେ ଆଲୋଚନା କରାଯିବ।

ପ୍ରଥମ ପର୍ଯ୍ୟାୟରେ ବିଡିଏ, ବିଏମ୍‌ସି ଓ ମନ୍ଦିର ପ୍ରଶାସନର ରାଜସ୍ବ ଅଧିକାରୀ ଓ ଅମିନଙ୍କ ସହଯୋଗରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ଚାରିପଟେ ଥିବା ସରକାରୀ ଜମି ଏବଂ ଲିଙ୍ଗରାଜ ମନ୍ଦିରର ଜମିର ଚିହ୍ନଟ କରଯିବ। ଜମି ଚିହ୍ନଟ ପରେ ଜବରଦଖଲ ପ୍ରକ୍ରିୟା ଆରମ୍ଭ ହେବ। ଗତକାଲି ବିଡିଏ କାର୍ଯ୍ୟାଳୟରେ ବିଡିଏ ଅତିରିକ୍ତ କମିଶନର ହରିଶ୍ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଏହା ନିଷ୍ପତି ନିଆଯାଇଛି।

ବିଡିଏ, ବିଏମ୍‌ସି ଓ ପର୍ଯ୍ୟଟନବିଭାଗର ମିଳିତ ସହଯୋଗରେ ଏକାମ୍ରକ୍ଷେତ୍ରକୁ ଐତିହ ଜିଲ୍ଲାର ମାନ୍ୟତା ଦିଆଯାଇଥିବାବେଳେ ଏହାର ବିକାଶ କାର୍ଯ୍ୟ ଉପରେ ପଦକ୍ଷେପ ଆରମ୍ଭ ହୋଇଛି। କିନ୍ତୁ ଚତୁଃପାର୍ଶ୍ବ ଜବରଦଖଲ ମୁଖ୍ୟ ସମସ୍ୟା ପାଲଟିଛି। ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଭିଡ଼ ହେଉଛି। ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଦେବୀ ପାଦହରା ପୁଷ୍କରିଣୀର ସୌନ୍ଦର୍ଯ୍ୟ ନଜର ଆଢ଼ୁଆଳରେ ରହୁଥିବା ବେଳେ ବଢ଼େଇବାଙ୍କ ଛକରୁ ହସ୍ପିଟାଲ ଆଡ଼କୁ ଯାଇଥିବା ରାସ୍ତାରେ ଅନେକ ସମୟରେ ଭିଡ଼ ରହୁଛି। ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏବେ ମନ୍ଦିର ପାଚେରିଠାରୁ ଉତ୍ତର ପାର୍ଶ୍ବରେ ରାସ୍ତା ସମେତ ପ୍ରାୟ ୭୦ଫୁଟ ପର୍ଯ୍ୟନ୍ତ ସ୍ଥାନ ଖାଲି ରହିଛି। ସେହିପରି ପୂର୍ବ ପାର୍ଶ୍ବରେ ୭୦ରୁ ୮୦ ଫୁଟ୍, ପୂର୍ବ-ଦକ୍ଷିଣ କୋଣରେ ୩୦ ଫୁଟ୍, ଦକ୍ଷିଣ ପାର୍ଶ୍ବରେ ୩୦ରୁ ୩୫ ଫୁଟ୍ ଜମି ଖାଲି ରହିଛି। ଦକ୍ଷିଣ-ପଶ୍ଚିମ କୋଣରେ ୨୦ ଫୁଟ୍, ପଶ୍ଚିମ ୩୦ରୁ ୩୫ଫୁଟ୍ ଖାଲି ଜମି ପରେ କୋଠା ରହିଛି। ପୂର୍ବ ଓ ଉତ୍ତର ପାର୍ଶ୍ବରେ ଥିବା ସ୍ଥିତିବାନ ପ୍ଲଟର ମାଲିକମାନେ ଘର ସମ୍ମୁଖରେ ସରକାରୀ ଜମି ମାଡ଼ି ବସିଥିବା ବୈଠକରୁ ଜଣାପଡ଼ିଛି।

Comments are closed.