Odisha Link
Bridging the Missing Links in Odisha

ପୁରୀ: ରଥଯାତ୍ରା ପୂର୍ବରୁ ସରିବ ନବୀକରଣ କାର୍ଯ୍ୟ, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଶ୍ରୀକ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ନଭେମ୍ବର ମାସରୁ ଶ୍ରୀକ୍ଷେତ୍ରର ନବୀକରଣ ପ୍ରକଳ୍ପରେ ପ୍ରସ୍ତାବିତ ଶ୍ରୀସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ପୂର୍ତ୍ତବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି।

ପ୍ରାୟ ୩୭ ଏକର ପରିମିତ ଜମି ଉପରେ ନିର୍ମାଣ ହେବାକୁ ଥିବା ଟ୍ରମ୍ପେଟ୍‌ (ତୂରୀ) ଆକୃତିର ଏହି ଶ୍ରୀସେତୁ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରାନିତ୍ବ କରାଯାଉଛି। ଜାତୀୟ ରାଜପଥ ଠାରୁ ପୁରୀ ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଶ୍ରୀସେତୁ ପାଇଁ ଆବଶ୍ୟକ ଜମି ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇ ସାରିଛି ବୋଲି ଖବର ଆସିଛି। ଅବଶିଷ୍ଟ ଜମି ଅଧିଗ୍ରହଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ସେହିପରି ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ତ୍ବରାନିତ୍ବ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ଶ୍ରୀମନ୍ଦିରର ଚର୍ତୁଃପାର୍ଶ୍ବ ୭୦ ପ୍ରତିଶତ ଉଚ୍ଛେଦ ପରେ ଶ୍ରୀମନ୍ଦିରକୁ ପଞ୍ଜାବର ସ୍ବର୍ଣ୍ଣମନ୍ଦିର ଢାଞ୍ଚାରେ ଆଲୋକସଜା ଓ ଖଣ୍ଡେଲାଇଟ୍ ପଥରରେ ଚଟାଣ ନିର୍ମାଣ କରାଯିବାକୁ ସରକାରଙ୍କ ପ୍ରସ୍ତାବ ରହିଛି। ସୂଚନା ଅନୁଯାୟୀ ଶ୍ରୀସେତୁ ପାଇଁ ଆବଶ୍ୟକ ପଡୁଥିବା ଜମି ମଧ୍ୟରେ ସରକାରଙ୍କର ୩.୭୩ ଏକର ଜମି ରହିଥିବାବେଳେ ଶ୍ରୀଜଗନ୍ନାଥଙ୍କର ୧୪.୫୪ ଏକର, ବିଭିନ୍ନ ମଠର ୬.୩୮ ଏକର ଜମି ରହିଛି। ଏହାବାଦ୍‌ ୧୩.୨୮ ଏକରର ଘରୋଇ ଜମି ମଧ୍ୟ ରହିଅଛି। ଶ୍ରୀକ୍ଷେତ୍ରରୁ ୭୫ ମିଟର ଉଚ୍ଛେଦ ଓ ଉଚ୍ଛେଦ ଶ୍ରୀସେତୁନିର୍ମାଣ କାର୍ଯ୍ୟକୁ ତ୍ବରାନିତ୍ବ କରିବା ପାଇଁ ସରକାରଙ୍କ ପକ୍ଷରୁ ୫ ଜଣ ଆଇଏଏସ ଅଧିକାରୀଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Comments are closed.