Odisha Link
Bridging the Missing Links in Odisha

ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ହିଁ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୂଳ ଲକ୍ଷ୍ୟ : ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଉଦ୍ଦେଶ୍ୟ ରାଷ୍ଟ୍ର  ନିର୍ମାଣ। ଏକ ଆଦର୍ଶ ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟକ୍ତି ନିର୍ମାଣର ଆବଶ୍ୟକତା ଅଛି। ତେଣୁ ସଂଘ ଆଦର୍ଶ ବ୍ୟକ୍ତିତ୍ୱ ନିର୍ମାଣରେ ତାର ଉଦ୍ୟମ ଜାରି ରଖିଛି । ଦେଶର ମଙ୍ଗଳ ଓ କଲ୍ୟାଣ ପାଇଁ  ପୂରା ସମାଜ ପ୍ରସ୍ତୁତ ହେବା ଦରକାର ।  ସେଥିପାଇଁ ସମଗ୍ର ସମାଜ ଭିତରେ ଏକତାର ଆବଶ୍ୟକତା ଅଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମଗ୍ର ମାନବ ସମାଜ କିପରି ସଶକ୍ତ ହେବ ସେଥିପାଇଁ ତାର କାମ ଆରମ୍ଭ କରିଥିଲା ଓ ଆଜିବି ସେହି ସମାନ ଲକ୍ଷ୍ୟରେ ଆଗେଇ ଚାଲିଛି । ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ହିଁ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ମୂଳ ଲକ୍ଷ୍ୟ । ସଙ୍ଘକୁ ସମାଜରେ ପ୍ରଭାବୀ ସଙ୍ଗଠନ ହେବାର ନାହିଁ । ସମାଜକୁ ସାଙ୍ଗରେ ନେଇ ସଙ୍ଘକୁ ଚାଲିବାର ଅଛି ବୋଲି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବିଶିଷ୍ଟ ନାଗରିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନରାଓ ଭାଗବତ।

 

ଏଥିସହିତ ଭାଗବତ ଜୀ କହିଛନ୍ତି ଯେ ସଙ୍ଘକୁ ବୁଝିବାକୁ ହେଲେ ସଙ୍ଘକୁ ଆସିବାକୁ ପଡିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘରେ ଛୋଟ ବଡ ପଦବୀ କିଛି ନାହିଁ । ସମସ୍ତ ସ୍ୱୟଂସେବକ ସମାନ । କେବଳ ଦାୟୀତ୍ୱ ଆଧାରରେ ହିଁ ସଙ୍ଘରେ କିଏ କେଉଁ ସ୍ଥାନରେ ଥାଇପାରେ । ହେଲେ ସମସ୍ତଙ୍କର ଲକ୍ଷ୍ୟ ଏକ, ଉଦ୍ଦେଶ୍ୟ ସମାନ ଓ କାର୍ଯ୍ୟପଦ୍ଧତି ବି ଏକା । ଏହା ହିଁ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ।ଦେଶର ଭାଗ୍ୟ ବଦଳିବା ପାଇଁ କେଉଁ ସରକାର, କେଉଁ ନେତା, କେଉଁ ମହାପୁରୁଷ ଯଥେଷ୍ଟ ନୁହନ୍ତି । କେବଳ ସମାଜ ହିଁ ସେହି ରାଷ୍ଟ୍ରର ଭାଗ୍ୟ ବଦଳାଇ ପାରିବ । ସାଧାରଣ ଲୋକ ଯେତେବେଳେ ନିଜର ସ୍ୱାର୍ଥକୁ ଭୁଲିଯିବେ ଯେତେବେଳେ ସମାଜର ବୃହତର ସ୍ୱାର୍ଥ ସାଧନ ହେବ । ସମାଜର ଶ୍ରେଷ୍ଠତ୍ୱ ପାଇଁ ବ୍ୟକ୍ତି ନିର୍ମାଣର ଆବଶ୍ୟକତା ଅଛି । ପ୍ରତି ଗାଁ, ପ୍ରତି ସମାଜ, ପ୍ରତି ଗଳିରେ ଏପରି ବ୍ୟକ୍ତିତ୍ୱ ନିର୍ମାଣ ହେବା ଜରୁରୀ, ଯେଉଁମାନେ ସମାଜର ନେତୃତ୍ୱ ନେଇପାରିବେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଶାଖା ଦ୍ୱାରା ଏପରି ବ୍ୟକ୍ତି ନିର୍ମାଣ ହୁଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶାଖାରେ କେବଳ ରାଷ୍ଟ୍ର ଭାବନା ଜାଗ୍ରତ ହୁଏ, ତାହା ନୁହେଁ ଏହାସହ ପ୍ରତିଦିନ ସମାଜ ଭୋଗୁଥିବା ସାମାଜିକ ଅସୁବିଧାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ମଧ୍ୟ ହୋଇଥାଏ ବୋଲି ମୋହନଜୀ କହିଛନ୍ତି ।

ଭାରତରେ ବିବିଧତା ମଧ୍ୟରେ ଏକତା ନୁହେଁ ବରଂ ଏକତା ଭିତରେ ଭିନ୍ନତା ଅଛି । ଆଉ ଏହା ହିଁ ଭାରତବର୍ଷର ସବୁଠାରୁ ସୁନ୍ଦର କଥା । ଆମର ଭାଷା ଅଲଗା, ଖାଦ୍ୟ ଅଲଗା, ବେଶ ପୋଷାକ ଅଲଗା । ତଥାପି ବି ଆମେ ଯୁଗ ଯୁଗରୁ ଏକ ସଂସ୍କୃତି ଓ ଏକ ରାଷ୍ଟ୍ରଭାବରେ ବାନ୍ଧି ହୋଇଆସିଛେ । ହିନ୍ଦୁ ଏକ ସଂସ୍କୃତିର ନାମ । ବିଶ୍ୱରେ ଶରଣାର୍ଥୀ ସାଜିଥିବା ଇହୁଦି, ପାର୍ସୀମାନଙ୍କୁ ଭାରତହିଁ ଆଶ୍ରୟ ଦେଇଛି । ବିଶ୍ୱର ସର୍ବାଧିକ ସୁଖୀ ମୁସଲମାନ ସମାଜ ଭାରତରେ ହିଁ ରହନ୍ତି । ବିଶ୍ୱର ଅନ୍ୟ ଦେଶମାନେ ଯେପରିକି ଆମେରିକାକୁ ବ୍ୟବସାୟ, ଆରବକୁ ଇସଲାମ, ଗ୍ରେଟ ବ୍ରିଟେନକୁ ଇଂରାଜୀ ଭାଷା ଗୋଟିଏ ରାଷ୍ଟ୍ର ଭାବରେ ବାନ୍ଧି ରଖିଛି । ହେଲେ ଭାରତ ଯୁଗ ଯୁଗରୁ ଏକ ସାଂସ୍କୃତିକ ରାଷ୍ଟ୍ର ଭାବେ ରହିଆସିଛି । ଭାରତର ବିଚାର ହେଉଛି ଦୁନିଆର ସର୍ବଶ୍ରେଷ୍ଠ ବିଚାର । ଭାରତରେ କିଏ ସବୁଠାରୁ ଅଧିକ ଧନୀ ତାର ତାଲିକା କେବେ ହୁଏ ନାହିଁ । ଆମ ଦେଶରେ ଜ୍ଞାନ, ତ୍ୟାଗ, ତପସ୍ୟା ଆଧାରରେ ହିଁ ବ୍ୟକ୍ତିର ମୂଲ୍ୟାଙ୍କନ ହୁଏ । ବିଶ୍ୱର ସମସ୍ତ ସଙ୍କଟର ସମାଧାନ ପାଇଁ ସେ ଭାରତ ଆଡକୁ ଚାହିଁଛି । ବିଶ୍ୱ କଲ୍ୟାଣ ପାଇଁ ଏକ ସଙ୍ଗଠିତ ହିନ୍ଦୁସମାଜକୁ ଆମସମସ୍ତଙ୍କୁ ମିଳିମିଶି ଠିଆ କରିବା ପାଇଁ ପଡିବ ବୋଲି ମୋହନ ଜୀ କହିଛନ୍ତି ।

ଆଜିର ଏହି ବିଶିଷ୍ଟ ନାଗରିକ ସମ୍ମିଳନିର ମଂଚରେ ପ୍ରାନ୍ତ ସଂଘଚାଳକ ମାନନୀୟ ସମୀର କୁମାର ମହାନ୍ତି, ବିଭାଗ ସଂଘଚାଳକ ମାନନୀୟ ବୈକୁଣ୍ଠନାଥ ସାହୁ ଓ ମହାନଗର ସଂଘଚାଳକ ବସନ୍ତ କୁମାର ପତି ଉପସ୍ଥିତ ଥିଲେ । ମହାନଗର ସଂପର୍କ ପ୍ରମୁଖ  ଜୟକୃଷ୍ଣ ପୃଷ୍ଟି କାର୍ଯ୍ୟକ୍ରମର ସଂଯୋଜନା କରୁଥିଲେ ।

Comments are closed.