Odisha Link
Bridging the Missing Links in Odisha

ସାଂସଦ, ବିଧାୟକଙ୍କ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଥର ସବୁ କାମ ପାଇଁ ସାଂସଦ, ବିଧାୟକମାନେ ଦେଉଥିବା ପ୍ରସ୍ତାବ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ପ୍ରତ୍ୟେକ ବିଭାଗ ୧୫ ତାରିଖ ସୁଦ୍ଧା ସରକାରଙ୍କୁ ଜଣାଇବେ। ଏହି ଜନପ୍ରତିନିଧିଙ୍କ ସୁପାରିସର କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ପ୍ରତ୍ୟେକ ବିଭାଗରେ ଗୋଟିଏ ଲେଖାଏଁ ସେଲ୍ ଗଠନ କରାଯିବ। ବିଭାଗ ନିକଟରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମିଳିବା ପରେ ପ୍ରତିମାସ ୨୦ ତାରିଖ ସୁଦ୍ଧା ସମୀକ୍ଷା ପାଇଁ ମୁଖ୍ୟ ସଚିବଙ୍କ ନିକଟରେ ଦାଖଲ କରାଯିବ। ଉଲ୍ଲେଖଯୋଗ୍ୟ ଯେ ନିଜ ନିଜ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ତଥା ସଂସ୍କାରମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେବାକୁ ସାଂସଦ, ବିଧାୟକମାନେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଅନୁରୋଧ କରିଥାନ୍ତି। କିନ୍ତୁ ଜନପ୍ରତିନିଧିଙ୍କ ଏହି ଅନୁରୋଧ ଅଧିକାଂଶ ସମୟରେ କାର୍ଯ୍ୟରେ ପ୍ରତିଫଳିତ ହୁଏ ନାହିଁ। ବିଭାଗୀୟ ଅବହେଳା ହେଉ ଅବା ପରିଚାଳନାଗତ ଅବ୍ୟବସ୍ଥା, ନେତାଙ୍କ କଥା ରହେ ନାହିଁ। ଏଥିପାଇଁ ପ୍ରତ୍ୟେକ ବିଭାଗରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ ଗଠନ କରି ସାଂସଦ ଓ ବିଧାୟକଙ୍କ ନିକଟରୁ ଆସୁଥିବା ଅନୁରୋଧ ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ବିଧାନସଭାରେ ନିଷ୍ପତ୍ତି ହୋଇଥିଲା। ନେତାଙ୍କ ଅନୁରୋଧ ଉପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଆଦେଶ କାର୍ଯ୍ୟକାରୀ ହୋଇନଥିବାରୁ ସଂସଦୀୟ ବ୍ୟାପାର ବିଭାଗ ଏହି ମର୍ମରେ ପୁଣିଥରେ ସବୁ ବିଭାଗକୁ ପତ୍ର ଲେଖି ପଦକ୍ଷେପ ନେବାକୁ କହିଛି।
ନୂତନ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ବିଭାଗରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବ । ଏଥିପାଇଁ ସମ୍ପୃକ୍ତ ବିଭାଗ ଜଣେ ନୋଡାଲ ଅଧିକାରୀଙ୍କ ନାମ ସୁପାରିଶ କରିବେ। ସେହିପରି ବିଭାଗ ଅଧୀନରେ ଥିବା ନିଦେ୍ର୍ଧଶାଳୟ ତଥା ଅଧସ୍ତନ କାର୍ଯ୍ୟାଳୟରେ ମଧ୍ୟ ଆଉ ଏକ ସେଲ ରହିବ, ଯାହା ସାଂସଦ ଓ ବିଧାୟକଙ୍କଠାରୁ ଆସୁଥିବା ଅନୁରୋଧ ପତ୍ର ଉପରେ ନିଆଯାଉ ଥିବା କାର୍ଯ୍ୟାନୁଷ୍ଠାନ ଅବା ସମସ୍ୟା ସମ୍ପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।
ପ୍ରତିମାସ ୧୦ ତାରିଖ ସୁଦ୍ଧା ବିଭାଗ ନିକଟରେ ରହି ରିପୋର୍ଟ ପହଞ୍ଚିବ ଏବଂ ସମ୍ପୃକ୍ତ ବିଭାଗ ୧୫ ତାରିଖ ସୁଦ୍ଧା ସଂସଦୀୟ ବ୍ୟାପାର ବିଭାଗ ନିକଟରେ ଦାଖଲ କରିବ। ଏହା ପରେ ସମୀକ୍ଷା ପାଇଁ ପ୍ରତିମାସ ୨୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରାଯିବ।

Comments are closed.