Odisha Link
Bridging the Missing Links in Odisha

ଆଜି ଜନ୍ମଦିନ: ପେପର୍ ବଏରୁ ମିଜାଇଲ ମ୍ୟାନ୍‌, କେମିତି ଥିଲା ଏହି ଯାତ୍ରା…

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ୍‌ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା।

ଜୀବନୀ:
କଲାମଙ୍କ ପୁରା ନାଁ ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରମ ଗାଁରେ ଏକ ଗରୀବ ମୁସଲମାନ ପରିବାରରେ ତାଙ୍କର ଜନ୍ମ। ବାପା ଜୈନୁଲାବୁଦ୍ଦୀନ ପେଶାରେ ଥିଲେ ନାଉରୀ। ପର୍ଯ୍ୟଟକଙ୍କୁ ରାମେଶ୍ୱରମରୁ ଧନୁଷକୋଡି ଯାଏଁ ଡଙ୍ଗାରେ ନେବା ଆଣିବା କରୁଥିଲେ ସେ। ଆଉ ସେଇଥିରେ କଲାମଙ୍କ ପରିବାରର ଗୁଜୁରାଣ ମେଂଟୁ ଥିଲା। ରାମନାଥପୁରରେ ସ୍କୁଲିଂ ପରେ ତିରୁଚିଲାପଲ୍ଲୀର ସେଂଟ ଯୋଶେଫ କଲେଜରେ ଫିଜିକ୍ସ ପଢିଥିଲେ । ୧୯୬୦ରେ ଏରୋସ୍ପେସ ଇଂଜିନିୟରିଂରେ ଡିଗ୍ରୀ ହାସଲ କଲାପରେ ଡିଆରଡିଓରେ ଯୋଗ ଦେଇଥିଲେ।

ପ୍ରଥମ ରୋଜଗାର:
ମିଜାଇଲ ମ୍ୟାନ ବା ଦିବଂଗତ ପୂର୍ବତନ ରଷ୍ଟ୍ରପତି ଏପିଜେ ଅବଦୁଲ କଲାମ ପାଠ ପଢିଲାବେଳେ ଖବରକାଗଜ ବାଣ୍ଟୁ ଥିଲେ। ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି । ମାତ୍ର ଏହା ଯେ ତାଙ୍କର ପ୍ରଥମ ରୋଜଗାର ନଥିଲା ତାହା ପ୍ରାୟ କେହି ଜାଣିନଥିବେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେଲା। ସେତେବେଳେ ସ୍କୁଲରେ ପଢୁଥିବା କଲାମ ଚିନ୍ତାକଲେ କିଥି ରୋଜଗାର କରି ପରିବାର ଚଳାଇବାରେ ସାହାଯ୍ୟ କରିବାକୁ । ଆଉ ଆରମ୍ଭ କରିଥିଲେ ତେନ୍ତୁଳି ମଞ୍ଜି ସଂଗ୍ରହ କାମ । ସେତେବେଳେ କୌଣସି କାରଣରୁ ତେନ୍ତୁଳି ମଞ୍ଜିର ଡିମାଣ୍ଡ ଥିଲା। କଲାମ ଜମା କରୁଥିବା ତେନ୍ତୁଳି ମଞ୍ଜିକୁ ଦୋକାନରେ ବିକ୍ରି କରୁଥିଲେ ଆଉ ତାଙ୍କୁ ସେତେବେଳେ ଏଥିପାଇଁ ଏକ ଅଣା ମିଳୁଥିଲା। ୧୯୫୭ ପର୍ଯ୍ୟନ୍ତ ଭାରତରେ ଅଣା ପ୍ରଚଳିତ ଥିଲା। ୪ ପଇସାରେ ଏକ ଅଣା।

ବୃତିଗତ ଜୀବନ:
ଭାରତୀୟ ସେନା ପାଇଁ କ୍ଷୁଦ୍ର ହେଲିକପ୍ଟର ଡିଜାଇନରୁ ସେ ତାଙ୍କ ବୃତିଗତ ଜୀବନ ଆରମ୍ଭ କରିଥିଲେ । ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ସହ କାମ କରିବାର ସୁଯୋଗ ପାଇଲେ କଲାମ । ୧୯୬୯ରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ଇସ୍ରୋକୁ ବଦଳି ହୋଇ ଆସିଲେ କଲାମ । ସେଥିଲେ ଭାରତର ପ୍ରଥମ ସାଟେଲାଇଟ ଲଂଚ ଭେହିକିଲର ପ୍ରୋଜେକ୍ଟ ଡାଇରେକ୍ଟର । ୧୯୮୦ ଜୁଲାଇ ମାସରେ ସାଟେଲାଇଟ ରୋହିଣୀକୁ ପୃଥିବୀ କକ୍ଷରେ ସଫଳତାର ସହ ଅବସ୍ଥାପିତ କରି କଲାମ ସାଉଂଟି ଥିଲେ ସଫଳତା । ବାଲିଷ୍ଟିକ ମିଜାଇଲ ଓ ଲଂଚ ଭେହିକିଲ ବିକଶିତ କରିବାରେ କଲାମଙ୍କ ଅବଦାନ ଅତୁଳନୀୟ । ସେଥିପାଇଁ ତାଙ୍କୁ ଭାରତର ମିଜାଇଲ ମ୍ୟାନ କୁହାଯାଏ । ୧୯୯୮ରେ ପୋଖରାନ- ୨ ଅଭିଯାନରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ୧୯୭୪ ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ପରୀକ୍ଷଣ ।

ଦାୟିତ୍ବ:
ସେ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ୨୦୦୨ରୁ ୨୦୦୭ ପର୍ପ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍, ‘ୱିଙ୍ଗସ୍ ଅଫ୍ ଫାୟାର’ ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ।

ସମ୍ମାନ:
୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ୨୭ ଜୁଲାଇ ୨୦୧୫ରେ ସିଲଂରେ ଏକ ସଭାରେ ଭାଷମ ଦେଉଥିବା ସମୟରେ ହୃଦଘାତରେ ତାଙ୍କ ଦେହାନ୍ତ ହୋଇଥିଲା

Comments are closed.