Odisha Link
Bridging the Missing Links in Odisha

ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର :ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ରେ ଖୋଲିଥିବା ଏହି ଷ୍ଟଲ୍‌ଗୁଡ଼ିକୁ ମନ୍ତ୍ରୀ ପାଣିଗ୍ରାହୀ ବୁଲି ଦେଖିଥିଲେ । ସେ ବିଭିନ୍ନ ଷ୍ଟଲ୍‌କୁ ଯାଇ ଓଡ଼ିଶା ପର୍ଯ୍ୟଟନ ସାମଗ୍ରୀ ବିପଣନରେ ନିୟୋଜିତ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାଗୁଡ଼ିକର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଏବଂ ଓଡ଼ିଶା ପର୍ଯ୍ୟଟନର ବ୍ୟାପକ ଅଭିବୃଦ୍ଧି ଦିଗରେ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ଟ୍ରାଭେଲ୍‌ ବଜାରର ତୃତୀୟ ସଂସ୍କରଣରେ ଯୋଗ ଦେଇଛନ୍ତି ଭାରତର ବିଭିନ୍ନ ରାଜ୍ୟରୁ ୬୦ ଜଣ ଟୁର ଅପରେଟର ଓ ବିଦେଶରୁ ୨୫ ଜଣ ଟୁର ଅ ପରେଟର । ଓଡ଼ିଶାର ପର୍ଯ୍ୟଟନ ସାମଗ୍ରୀର ବିପଣନ ପାଇଁ ମାର୍ଗ ପ୍ରଶସ୍ତ କରିବାକୁ ବିଭିନ୍ନ ସଂସ୍ଥା ୫୩ଟି ଷ୍ଟଲ୍‌ ଖୋଲିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଟ୍ରାଭେଲ୍‌ ଏଜେନ୍ସି, ଟୁର ଅପରେଟର,ହୋଟେଲିୟର ଏବଂ ହସ୍‌ ପିଟାଲିଟି ଅନୁଷ୍ଠାନ । ଦୁଇଦିନ ପାଇଁ ଦେଶର ଟୁର ଅପରେଟରମାନଙ୍କ ସହିତ ବ୍ୟବସାୟିକ ଓ ବୈଷୟିକ ଆଲୋଚନା ଚାଲିବ । ୨୦ ତାରିଖ ଦିନ ବିଦେଶର ଟୁର ଅପରେଟରମାନେ ଟ୍ରାଭେଲ୍‌ ବଜାରରେ ଯୋଗଦେବେ । ଏଠାରେ ଉଲ୍ଲେଖେଯୋଗ୍ୟ ଯେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ବିଭବ ସହିତ ସଂପୃକ୍ତ ଓ ପରିଚିତ ହେବା ପାଇଁ ବିଦେଶୀ ଟୁର ଅପରେଟରମାନେ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ପାଣିଗ୍ରାହୀଙ୍କ ସମେତ ହୋଟେଲ୍‌ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ପ୍ରମୁଖ କାର୍ଯ୍ୟକର୍ତ୍ତା ଜେ. କେ. ମହାନ୍ତି, ଭାରତୀୟ ବାଣିଜ୍ୟ ମହାସଂଘ(ଫିକି)ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ ନିର୍ଦ୍ଦେଶକ ଉତ୍ପଳ ପତି ଓ ବରିଷ୍ଠ ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ମଧ୍ୟ ବୈଷୟିକ ଆଲୋଚନାରେ ସହଯୋଗ କରିଥିଲେ ।

Comments are closed.