Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କାର୍ଟୁନ୍ ପେଟି, ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ: ପରୀକ୍ଷା ଆଉ କପିର ଏକ ନିବିଡ଼ ସମ୍ପର୍କ। ହେଲେ କପି ରୋକିବା ପାଇଁ ସମସ୍ତ କଲେଜ ଆପଣେଇଥାନ୍ତି ଅନେକ କୌଶଳ। ସେହିପରି କର୍ଣ୍ଣାଟକର ରାଜ୍ୟର ଭଗତ ପିୟୁ (ପ୍ରି ୟୁନିଭରସିଟି) କଲେଜ କପି ରୋକିବା ପାଇଁ ଆପଣେଇଛନ୍ତି ଅଭିନବ ପ୍ରୟାସ। ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ।

କପି ରୋକିବା ପାଇଁ ପାଭଗତ ପିୟୁ (ପ୍ରି ୟୁନିଭରସିଟି) କଲେଜରେ ଦେଖିବାକୁ ମିଳିଛି ଅଭିନବ କୌଶଳ। କଲେଜର ପରୀକ୍ଷାର୍ଥୀ କାଗଜରେ ପ୍ରସ୍ତୁତ କାର୍ଟୁନ ପେଟିକୁ ମୁଣ୍ଡରେ ଘୋଡ଼ାଇ ପରୀକ୍ଷା ଦେଉଛନ୍ତି। ବିଭିନ୍ନ ସାମଗ୍ରୀ କିଣିବା ବେଳେ ଯେଉଁ ପେଟିରେ ପ୍ୟାକିଂ ହୋଇଆସିଥାଏ ସେହି ପେଟିକୁ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଲଗାଇବା ପାଇଁ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଥାଉକି, ଗତ ବୁଧବାର ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ଦେଉଥିଲେ। କେମେଷ୍ଟ୍ରି ପରୀକ୍ଷା ଦେଉଥିବାବେଳେ କଲେଜ କର୍ତ୍ତୃପକ୍ଷ କପି ରୋକିବାକୁ ଯାଇ ଏଭଳି ନିୟମ ଲାଗୁ କରିଥିଲେ। ସୋଶାଲ ମିଡିଆରେ ଏଭଳି ଅଭିନବ ପରୀକ୍ଷାର ଚିତ୍ର ଭାଇରାଲ ହେବାପରେ କଲେଜ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛି କର୍ଣ୍ଣାଟକର ଶିକ୍ଷା ବିଭାଗ।

ପିୟୁ ବୋର୍ଡର ଉପ ନିର୍ଦ୍ଦେଶକ ଏସସି ପିରଜଡେ କହିଛନ୍ତି କଲେଜ କର୍ତ୍ତୃପକ୍ଷଙ୍କୁ ଏବାବଦରେ ନୋଟିସ କରାଯାଇଛି। କପି ରୋକିବାକୁ ଯାଇ କଲେଜ କର୍ତ୍ତୃପକ୍ଷ ଯେଉଁ ଉପାୟରେ ପରୀକ୍ଷା କରିଛି ତାହା ନିନ୍ଦନୀୟ, ଅମାନବୀୟ ବୋଲି ସେ କହିଛନ୍ତି। ତେବେ କଲେଜର ନିର୍ଦ୍ଦେଶକ ଏମବି ସତୀଶ କହିଛନ୍ତି କପି ରୋକିବାକୁ ଯାଇ ସେମାନେ ଏଭଳି ପ୍ରୟାସ କରିଛନ୍ତି। ଏହା କେବଳ ଏକ ଏକ୍ସପେରିମେଣ୍ଟ ବୋଲି ସେ କହିଛନ୍ତି। ଏମିତି କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତମାସରେ ଏଭଳି ପରୀକ୍ଷା ମେକ୍ସିକୋର ଏକ କଲେଜରେ ହୋଇଥିଲା। ଯେଉଁଠି କପି ରୋକିବାକୁ ଯାଇ କଲେଜ କର୍ତ୍ତୃପକ୍ଷ ସମସ୍ତ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ କାଗଜ ପେଟି ଘୋଡ଼ାଇ ଦେଇଥିଲେ।

Comments are closed.