Odisha Link
Bridging the Missing Links in Odisha

ଓଡ଼ିଶା ଲିଙ୍କ କାହିଁକି?

ଅ‍ାଞ୍ଚଳିକ ଖବରକୁ ଅଧିକ ଗୁରୁତ୍ବ

ପ୍ରଥମରୁ କହିରଖେ, କାହା ଠାରୁ ନିଜକୁ ଶ୍ରେଷ୍ଠ ବା ଖୁବ୍‌ ବେଶି ପାରିବାର ବୋଲି ଦେଖାଇ ହେବାର ଉଦ୍ଦେଶ୍ୟ ଆମର ଆଦୌ ନାହିଁ। ଏମିତିରେ ନିଜକୁ ନିଜେ ଶ୍ରେଷ୍ଠ ଆଉ ପାରିବାର ବୋଲି କହି ବୁଲୁଥିବା ଗଣମାଧ୍ୟମର ସଂଖ୍ୟା ଓଡ଼ିଶାରେ କିଛି କମ ନୁହେଁ। ତେବେ ରାଜ୍ୟର ଶତାଧିକ ନ୍ୟୁଜ୍‌ ପୋର୍ଟାଲର ଭିଡ଼ ଭିତରେ ଆମେ ଠିଆ ହୋଇ ପରିଚୟ ସଙ୍କଟର ପୀଡ଼ା ଭୋଗିବା ପାଇଁ ମଧ୍ୟ ଆମର ଲକ୍ଷ୍ୟ ନୁହେଁ।

ଓଡ଼ିଆ ମିଡିଆ ଗତ ଅଢ଼େଇ ବର୍ଷ ଧରି (୨ ଜୁଲାଇ ୨୦୧୬ ଠାରୁ) ଓଡ଼ିଶା ଷ୍ଟୋରୀ ନାମରେ ଏକ ଇଂରାଜୀ ଖବର ପୋର୍ଟାଲ ନିୟମିତ ଭାବେ ପରିଚାଳନା କରି ଆସୁଛି। ଆମର ସୋସିଆଲ ମିଡିଆ ଉପସ୍ଥିତି ଓ ଆମକୁ ନିୟମିତ ପରିଦର୍ଶନ କରୁଥିବା ବୁଦ୍ଧିଜୀବୀ ଗୋଷ୍ଠୀ ଓଡ଼ିଶା ଷ୍ଟୋରୀକୁ ରାଜ୍ୟର ସମ୍ବାଦ ଓ ସଂସ୍କୃତି ପ୍ରକାଶକ ଭାବେ ଭିନ୍ନ ପରିଚୟ ଦେଇଛି।

ତେବେ, ହଠାତ ୨୦୧୯ ଇଂରାଜୀ ନୂଆ ବର୍ଷ ପୂର୍ବରୁ କ’ଣ ପାଇଁ ଏ ଓଡ଼ିଆ ଖବର ପୋର୍ଟାଲର ପରିକଳ୍ପନା??

ପ୍ରକୃତରେ ଓଡ଼ିଶା ଲିଙ୍କ୍‌ କେବଳ ମାତ୍ର ଏକ ଖବର ପୋର୍ଟାଲ ନୁହେଁ। ଏହାର ନାମକୁ ସାର୍ଥକ କଲାଭଳି ରାଜ୍ୟର ଲୁକ୍କାୟିତ, ଅବଦମିତ ଓ ଅବହେଳିତ ମତମନ୍ତବ୍ୟକୁ ଏକ ନୂଆ ପ୍ଲାଟଫର୍ମ ଦେବା ଲକ୍ଷ୍ୟରେ ଏ ପୋର୍ଟାଲର ପରିକଳ୍ପନା।

ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଲୋକ ଲୋଚନକୁ ଆସି ପାରୁନଥିବା ତଥ୍ୟ ଏବଂ ବୃହତ୍ତର ପାଠକ ଗୋଷ୍ଠୀ ପାଖରେ ପହଞ୍ଚି ପାରୁ ନଥିବା ଭିନ୍ନ ମତ ଓ ମନ୍ତବ୍ୟ ସବୁକୁ ସ୍ଥାନ ଦେବା ପାଇଁ ଓଡ଼ିଶା ଲିଙ୍କ ମାଧ୍ୟମରେ ଏକ ଅବସର ତିଆରି କରିଛି ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ।

ଏହା ଭିନ୍ନ ଖବରର ଏବେ ଏକ ବିଭାଗୀକରଣ ଅ‍ାରମ୍ଭ ହାେଇଛି, ଯେମିତି ଛୋଟ ଖବର ବଡ଼ ଖବର ବା ରାଜ୍ୟ ଖବର ଅ‍ାଞ୍ଚଳିକ ଖବର। ଖବରକାଗଜଗୁଡ଼ିକରେ ଯଦିଓ ଅ‍ାଞ୍ଚଳିକ ଖବର ବର ତଥାକଥିତ ଗୌଣ ଖବରଗୁଡ଼ିକ ସ୍ଥାନ ପାଉଛି, ସେଗୁଡ଼ିକ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉନାହିଁ। ବହୁଳ ସଂସ୍କରଣରେ ପ୍ରକାଶ ପାଉଥିବା ଅ‍ାଞ୍ଚଳିକ ଖବର ସବୁ ସେଇ ଅଞ୍ଚଳର ପରିଧି ପାର କରି ବିଶାଳ ପାଠକ ଗୋଷ୍ଠୀ ପାଖରେ ପହଞ୍ଚି ପାରୁନାହିଁ।

ସମାନ ଭାବେ ଟିଭି ଚ୍ୟାନେଲଗୁଡ଼ିକରେ ମଧ୍ୟ ଅ‍ାଞ୍ଚଳିକ ଖବଗୁଡ଼ିକର ସ୍ଥାନ ପ୍ରାୟତଃ ନାହିଁ କହିଲେ ଚଳେ। ତଥାକଥିତ ବଡ଼ଖବର ଓ ରାଜନୈତିକ ବାଦିପାଲାର ପ୍ରାବଲ୍ୟ ଭିତରେ ଅଣପ୍ରାଧାନ୍ୟ ସମୟ ଖଣ୍ଡ (ନନ୍ ପ୍ରାଇମ୍ ଟାଇମ୍ ସ୍ଲଟ୍) ଭିତରେ ହାତଗଣିତ କେତୋଟି ଭାଗ୍ୟବାନ ଅ‍ାଞ୍ଚଳିକ ଖବର ନିଜ ମୁହଁ ଦେଖାଇ ପାରୁଛନ୍ତି।

ତେବେ ପୋର୍ଟାଲରେ ସ୍ଥାନ ବା ସମୟ ସଙ୍କଟର ଭୟ ନାହିଁ। ଅ‍ାମେ ଓଡ଼ିଶା ଲିଙ୍କ୍ ମାଧ୍ୟମରେ ଅ‍ାଞ୍ଚଳିକ ଖବରଗୁଡ଼ିକୁ ଗୁରୁତ୍ବ ଦେବାର ପ୍ରୟାସ କରୁଛି। ସେଥିପାଇଁ ଅ‍ାମର ଓଡ଼ିଶା ବିଭାଗର ଜିଲ୍ଲା ଉପ-ବିଭାଗରେ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଅନୁ-ବିଭାଗ ରଖାଯାଇଛି, ଯେଉଁଠି ଜିଲ୍ଲାରୁ ଅ‍ାସୁଥିବା ଖବରଗୁଡ଼ିକ ଅଧିକ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହାେଇ ସ୍ଥାନ ପାଇବ।

ବିକାଶ ଯେଉଁଠି ରାଜନୈତିକ କାଦୁଅଫିଙ୍ଗାରେ ବନ୍ଦୀ, ସାଧାରଣ ଲୋକର ହସ ଯେଉଁଠି ପୁଞ୍ଜିବାଦର ଲୋଲୁପ ପଞ୍ଝା ତଳେ ପାଣ୍ଡୁର, ଯେଉଁଠି ଧର୍ମାଧୀଶ ସ୍ଥିର କରନ୍ତି ସାମାଜିକ ମୂଲ୍ୟବୋଧ ଏବଂ ସ୍ବାଧୀନ ମତପୋଷଣ ଯେଉଁଠି ଗଡ୍‌ସେ ଓ ଗୁରୁ ବାଦ ମଧ୍ୟରେ ତଳିତଳାନ୍ତ- ଠିକ ସେମିତି ଏକ ସମୟରେ ଓଡ଼ିଶା ଲିଙ୍କର ଜନ୍ମ।

ଆପଣ ସମେସ୍ତ ଏ ନୂଆ ଉପକ୍ରମର ଗୋଟିଏ ଅଂଗ। ଯଦି ଆପଣଙ୍କ ମନ୍ତବ୍ୟ ଯଥାର୍ଥ କିନ୍ତୁ ସର୍ବସାଧାରଣଙ୍କ ପାଖରେ ଅପହଞ୍ଚ, ତେବେ ଓଡ଼ିଶା ଲିଙ୍କ ହିଁ ଆପଣଙ୍କ ପାଇଁ ବିକଳ୍ପହୀନ ମଞ୍ଚ।

ଆସନ୍ତୁ ଏ ମଞ୍ଚକୁ। ସ୍ବାଗତ।

Comments are closed.