Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ କଂଗ୍ରେସ୍-ଓଜେଡ଼ି ମେଣ୍ଟ!

ଭୁବନେଶ୍ବର: ବିଜେଡ଼ି ପ୍ରତି ବିଜେପି କ୍ରମଶଃ ନରମ ମନଭାବ ପୋଷଣ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏବେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ରଣନୀତିରେ ପରିବର୍ତ୍ତନର ଖବର ମିଳୁଛି। ତାଙ୍କର ନୂଆ ଦଳ ଓଡ଼ିଶା ଜନତା ଦଳ (ଓଜେଡି) ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ୍‌ ସହ ମେଣ୍ଟ କରିବାର ସମ୍ଭାବନା ରହିଛି।

ମେଣ୍ଟ ନେଇ ଦିଲ୍ଲୀରେ କଂଗ୍ରେସର ଉଚ୍ଚସ୍ତରୀୟ ନେତାଙ୍କ ସହ ବୈଜୟନ୍ତଙ୍କ କଥାବାର୍ତ୍ତା ଚାଲିଛି। ମେଣ୍ଟ ଯୋଜନା ସଫଳ ହେଲେ ରାଜ୍ୟର ଆଉ କିଛି ବିଜେଡି ବିରୋଧୀ ବରିଷ୍ଠ ନେତା ବୈଜୟନ୍ତଙ୍କ ସହ ସାମିଲ ହେବାର ଖବର ମିଳୁଛି। ରାଜ୍ୟରେ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନ, ମୋଟ ୧୬୮ ଆସନରୁ ଓଜେଡି ଅତି କମରେ ୫୦ ଆସନ ଭାଗ ନେବାକୁ ଚାହୁଁଛି। ବୈଜୟନ୍ତଙ୍କ ଦାବି ଗୃହୀତ ହେଲେ ବାକି ୧୧୮ ଆସନରେ କଂଗ୍ରେସ ଲଢ଼ିବ।

ସୂତ୍ର ଅନୁଯାୟୀ ବୈଜୟନ୍ତଙ୍କ ଦଳ ପ୍ରତି ଜିଲ୍ଲାରେ ଅତି କମରେ ଗୋଟିଏ ଲେଖାଏଁ ବିଧାନସଭା ଆସନରୁ ପ୍ରାର୍ଥୀ ଦେବାକୁ ମନ ବଳାଇଛି। ତେବେ ଭୁବନେଶ୍ବର, ଢେଙ୍କାନାଳ, କଟକ ଓ କେନ୍ଦ୍ରାପଡ଼ାରେ ଏକାଧିକ ପ୍ରାର୍ଥୀ ଦେବାର ଯୋଜନା ରହିଛି। ଏହି ମର୍ମରେ ପ୍ରାୟ ୪୦-୪୫ଟି ବିଧାୟକ ପ୍ରାର୍ଥୀ ନିଜ ହାତରେ ରଖିବାର ଯୋଜନାରେ ଅଛନ୍ତି ବୈଜୟନ୍ତ।

ଜାନୁଆରୀ ୨୫ ତାରିଖରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଥିବା ବେଳେ ତା ପୂର୍ବରୁ ମେଣ୍ଟ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ। ମେଣ୍ଟ ନିଷ୍ପତ୍ତି ଘୋଷଣା ହେବା ପରେ ବିଜେଡି ଓ ବିଜେପି ଛାଡ଼ିଥିବା କିଛି ପୁରୁଖା ନେତାଙ୍କୁ ନିଜ ସହ ସାମିଲ କରି ପାରନ୍ତି ବୈଜୟନ୍ତ। ଏଯାବତ କୌଣସି ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇ ନଥିବା ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଉତ୍କଳ ଭାରତ ମୁଖ୍ୟ ଐର ଖାରବେଳ ସ୍ବାଇଁ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମତାକ୍ରାନ୍ତି ଦଳ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ପ୍ରମୁଖ ଯଦି ବୈଜୟନ୍ତଙ୍କ ସହ ଏହି ମର୍ମରେ ହାତ ମିଳାନ୍ତି, ତେବେ ରାଜ୍ୟରେ ଆଗାମୀ ନିର୍ବାଚନରେ ଏକ ନୂଆ ସମୀକରଣର ସମ୍ଭାବନାକୁ ଏଡ଼ାଇ ହେବନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବହୁ ନେତା ବୈଜୟନ୍ତଙ୍କ ସହ ମିଶିବା ପାଇଁ ଯୋଗାଯୋଗରେ ଥିଲେ ହେଁ, ଅନ୍ୟଦଳମାନେ ସେମାନଙ୍କୁ ଆକୃଷ୍ଟ କରିବାର ସମ୍ଭାବନା ଥିବାରୁ ବେଶ୍‌ ବିଳମ୍ବରେ ନିଜର ଦଳ ଓ ଏହାର ପ୍ରାର୍ଥୀ ଘୋଷଣା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଇତି ମଧ୍ୟରେ ଓଡ଼ିଶା ଜନତା ଦଳର ପଞ୍ଜୀକରଣ ଶେଷହୋଇଛି। ଜାନୁଆରୀ ୨୫ ପରେ ପରେ ବୈଜୟନ୍ତ ଦଳ ବାବଦରେ ବିଧିବଦ୍ଧ ଘୋଷଣା କରିବେ।

Comments are closed.