Odisha Link
Bridging the Missing Links in Odisha

କଳାହାଣ୍ଡିରେ ୨୩ଶହ ବର୍ଷ ତଳର ନଗର ସଭ୍ୟତା

ଭବାନୀପାଟଣା: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍ଅ‍ାଇ) ସଂସ୍ଥାନ ଭୁବନେଶ୍ବର କ୍ଷେତ୍ରର ଖନନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଠାରେ ମୌର୍ଯ୍ୟ ସାମ୍ରାଜ୍ୟ ସମସାମୟିକ ଖ୍ରୀଷ୍ଟପୂର୍ବ ୩୨୨-୧୮୫ ସମୟର ଏକ ନଗର ସଭ୍ୟତା ଅ‍ାବିଷ୍କାର କରାଯାଇଛି।

ଖନନ ସମୟରେ ରାଜକୀୟ ଠାଣିର ରୂପା ମୁଦ୍ରା, ଟାଇଲ୍ ଅ‍ାଚ୍ଛାଦିତ ଚଟାଣ, ପ୍ରବାଳ ଓ ଗୋଟିକା ପଥରର ଅଳଙ୍କାର ପ୍ରମୁଖ ମିଳିଛି। ରୂପା ଓ ତମ୍ବାର କାନଫୁଲ ଓ ଗୋଡ଼ମୁଦି, ବହୁ ସଂଖ୍ୟାରେ ବିଭିନ୍ନ ଅକାରର ପାତ୍ର ଓ ବାସନକୁସନ, କାଚ ଚୁଡ଼ି, ଲୁହାର ଚକ, ବଳା ଓ ତୀର ମଧ୍ୟ ଖନନ ବେଳେ ଉଦ୍ଧାର ହାେଇଛି। ଏଥିରୁ ଏ ସଭ୍ୟତା ବେଶ୍ ଉନ୍ନତ ଓ ଯୋଜନାବଦ୍ଧ ସହର ଏଠାରେ ଥିବାର ଅନୁମାନ କରାଯାଉଛି।

ମିଳିଥିବା ଅସୁରଗଡ଼ ଦୁର୍ଗର ନିର୍ମାଣ ଶୈଳୀ, ଚାରିପଟେ ଚାରି ଦ୍ବାର ଓ ଟେରାକୋଟା ଚଟାଣ ଏ ସଭ୍ୟତାର ଉନ୍ନତିକୁ ପ୍ରତିପାଦିତ କରୁଛି। ନଗର ନିର୍ମାଣରେ ଉନ୍ନତମାନର ଇଟା ବ୍ୟବହାରର ପ୍ରମାଣ ମିଳିଛି।

ଏଏସ୍ଅ‍ାଇ ଖନନ ବିଭାଗର ଭୂତତ୍ତ୍ବ ଅଧୀକ୍ଷକ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି, ଏଠାରେ ଥିବା ନଗର ସଭ୍ୟତା ୨୩ ଶହ ବର୍ଷ ପୁରୁଣା ଓ ମୌର୍ଯ୍ୟ ତଥା କୁଶାଣ ସମସାମୟିକ। ଏଠାରୁ ମିଳିଥିବା ସନ୍ତକ ଚିହ୍ନ ଥିବା ରୂପା ମୁଦ୍ରା ମୌର୍ଯ୍ୟ ଓ ମଗଧ ସାମ୍ରାଜ୍ୟରେ ପ୍ରଚଳିତ ମୁଦ୍ରା ଭଳି ହାେଇଛି।

ମିଳିଥିବା ସାମଗ୍ରୀରୁ ଜଣାଯାଉଛି ଯେ ଏ ସଭ୍ୟତାର ଲୋକମାନେ ବେଶ୍ ଉନ୍ନତ, ବିଳାସମୟ ଜୀବନ ଅତିବାହିତ କରୁଥିଲେ। ଚୁଡ଼ି ଓ ଅଳଙ୍କାରର ବିଭିନ୍ନ ଅ‍ାକାର ଓ ରଙ୍ଗ ଏଠାର ସ୍ଥାନୀୟ କାରୀଗରଙ୍କ କଳାନୈପୁଣ୍ୟକୁ ପ୍ରମାଣିତ କରୁଥିବା ଶ୍ରୀ ଗଡ଼ନାୟକ ମତ ଦେଇଛନ୍ତି।

ଦୁର୍ଗର ଗୋଟିଏ ପଟେ ସାଣ୍ଡୁଳ ନଦୀ ଥିବା ବେଳେ ଅନ୍ୟପଟେ ଏକ ବିସ୍ତାରିତ ହ୍ରଦ ରହିଛି। ମିଳିଥିବା ପ୍ରବାଳ ଅଳଙ୍କାର ଓ ସନ୍ତକ ଥିବା ରୂପା ମୁଦ୍ରାରୁ ପ୍ରମାଣିତ ହେଉଛି ଯେ ଏଠାର ଅଧିବାସୀମାନେ ସୁମଦ୍ରକୂଳିଅ‍ା ସଭ୍ୟତା ସହ ବାଣିଜ୍ୟିକ ସମ୍ପର୍କରେ ଥିଲେ।

Comments are closed.