Odisha Link
Bridging the Missing Links in Odisha

କଟକ ଲୋକସଭା ଅ‍ାସନରୁ ଲଢ଼ିବେ ସୌମ୍ୟରଂଜନ !

ଭୁବନେଶ୍ବର: ଖଣ୍ଡପଡ଼ା ବିଧାନ ସଭା ନୁହେଁ, ବରଂ କଟକ ଲୋକସଭା ଅ‍ାସନରୁ ଲଢ଼ିପାରନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଭର୍ତ୍ତୃହରି ମହତାବଙ୍କ ସ୍ଥାନରେ ଏଥର ସୌମ୍ୟଙ୍କୁ ପ୍ରାର୍ଥୀ କରିବା ନେଇ ଦଳ ଚିନ୍ତା କରୁଥିବା ସୂଚନା ମିଳିଛି।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଦୁଇ ଦୁଇ ଥର ପ୍ରାର୍ଥୀ ହାେଇ ପରାଜୟ ବରଣ କରିଥିଲେ ହେଁ ସୌମ୍ୟଙ୍କର ସମାନ୍ତରାଳ ସଙ୍ଗଠନ ରହିଛି। ଅ‍ାମ ଓଡ଼ିଶା ଦଳ ଭାଙ୍ଗି ସେ ବିଜେଡିରେ ଯୋଗ ଦେଇଥିଲେ ହେଁ ତାଙ୍କର କର୍ମୀମାନେ ପ୍ରାୟତଃ ଏଯାଏଁ ବିଜେଡିକୁ ଅ‍ାସିନାହାନ୍ତି। ଏଭଳି ସ୍ଥିତିରେ ସୌମ୍ୟ ପୁଣି ଥରେ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବାଲାଗି ଇଚ୍ଛା ବ୍ୟକ୍ତ କରିଥିବା ଜଣାପଡ଼ିଛି। ତେବେ ଦଳ ତାଙ୍କୁ କଟକ ଲୋକସଭା କ୍ଷେତ୍ରରୁ ସଂସଦ ପଠାଇବାକୁ ଚାହୁଁଛି।

କଟକ ନିର୍ବାଚନ ମଣ୍ଡଳୀରେ ପୁରୁଣା କଂଗ୍ରେସର କିଛି ଗାେଷ୍ଠୀ ଦଳ ଛାଡ଼ି ସୌମ୍ୟଙ୍କ ଅ‍ାମ ଓଡ଼ିଶାରେ ସାମିଲ ହାେଇଥିଲେ ଓ ଏବେ ସେ ବିଜେଡିରେ ମିଶିବା ପରେ ବି ସେହି କର୍ମୀମାନେ ତାଙ୍କ ସହ ଅଛନ୍ତି। ଅ‍ାଠଗଡ଼ରେ ମଧ୍ୟ ସୌମ୍ୟଙ୍କର ଅଳ୍ପ କିଛି ରାଜନୈତିକ ପ୍ରଭାବ ରହିଛି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବି କଟକଟ ସଂସଦୀୟ କ୍ଷେତ୍ରରେ ଅ‍ାସୁଛି। ଏଭଳି ପରିସ୍ଥିତିରେ କଟକରୁ ସୌମ୍ୟଙ୍କ ପ୍ରାର୍ଥୀତ୍ବ ନେଇ ଚର୍ଚ୍ଚା ଯୋର ଧରିଛି।

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ନୟାଗଡ଼ରୁ ନିଜର ପ୍ରଚାର ଅଭିଯାନ ଅ‍ାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ତିନୋଟି ସଂସଦୀୟ କ୍ଷେତ୍ରରେ ଅ‍ାସୁଛି କନ୍ଧମାଳ, ପୁରୀ ଓ କଟକ। କନ୍ଧମାଳ ସାଂସଦ ଦଳ ଛାଡ଼ିଥିବାରୁ ସେ ସଭାରେ ତାଙ୍କୁ ଦେଖିବାକୁ ମିଳିନଥିଲା। ପୁରୀ ସାଂସଦ ପିନାକୀ ମିଶ୍ର ନୟାଗଡ଼ ସଭାରେ ଉପସ୍ଥିତ ଥିଲେ। ନୟାଗଡ଼, ରଣପୁର ଓ ଖଣ‌ଡପଡ଼ାର ବିଧାୟକମାନେ ଓ ଦଶପଲ୍ଲାର ବିଧାୟକ ପ୍ରାର୍ଥୀ ମଧ୍ୟ ସଭାରେ ଯୋଗ ଦେଇଥିଲେ। ରାଜ୍ୟସଭା ସାଂସଦ ସୌମ୍ୟରଂଜନ ଉକ୍ତ ସଭାରେ ମଞ୍ଚାସୀନ ହାେଇଥିବା ବେଳେ ଭର୍ତ୍ତୃହରିଙ୍କୁ ଦେଖିବାକୁ ମିଳିନଥିଲା।

ଭର୍ତ୍ତୃହରି ମହତାବ କିଛିମାସ ହେଲା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦଳ ନେତାଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହେଉଥିବା ସୂଚନା ମିଳୁଛି। ଏଭଳି ପରିସ୍ଥିତିରେ କଟକରେ ଦଳ କନ୍ଧମାଳ ପରିସ୍ଥିତିର ପୁଣି ଦେଖାଇବାକୁ ଚାହୁଁଛି। କନ୍ଧମାଳ ଭଳି କଟକରେ ବି ପ୍ରାର୍ଥୀ ପରିବର୍ତ୍ତନ ନେଇ ଚର୍ଚ୍ଚା ଯୋର ଧରିଛି।

Comments are closed.