Odisha Link
Bridging the Missing Links in Odisha

କର୍ମୀଙ୍କୁ ଉତ୍ସାହିତ କରିବାକୁ ମିଛ କହିଛନ୍ତି ଶାହା: ବିଜେଡି

ଭୁବନେଶ୍ୱର: ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ରଖିଛି ବିଜେଡି। ବିଜେପି ସ୍ଥିତି ଦେଖି ନିରୁତ୍ସାହିତ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଅମିତ ଶାହା ଗୁଡାଏ ମିଛ କହିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ସସ୍ମିତ ପାତ୍ର କହିଛନ୍ତି, ଆଜି ଯେତେବେଳେ ଅମିତ୍ ଶାହା ଗଜପତିରେ ନିର୍ବାଚନ ପ୍ରଚାର କରୁଥିଲେ ସେହି ସମୟରେ ଗଜପତିରୁ ବିଜେପିର ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ତେଣୁ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ମିଛ ଭାଷଣ ଦେବାରେ କିଛି ଅସଙ୍ଗତି ନାହିଁ। ଶ୍ରୀ ଶାହାଙ୍କୁ ଓଡ଼ିଶାରେ ତାଙ୍କ ଦଳର ପ୍ରାର୍ଥୀଙ୍କ ଅବସ୍ଥା ସମ୍ପର୍କରେ ମାଲୁମ୍ ନାହିଁ । ଏଠି ବିଜେପିର ପ୍ରମୁଖ ନେତା ହାରିଯିବା ଭୟରେ ନିର୍ବାଚନ ଲଢ଼ିବାକୁ ସାହାସ କରିନାହାନ୍ତି । ବିଜେପି ଟିକେଟ ପାଇସାରିଥିବା ସତ୍ତ୍ୱେ ଜଣେ ପ୍ରାର୍ଥୀ ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଛନ୍ତି। ବିଜେପି ଟିକେଟରେ ଲଢି ଜିତି ପାରିବେ ନାହିଁ ବୋଲି ତାଙ୍କର ହୃଦବୋଧ ହୋଇଛି।

ଖାଲି ସେ ନୁହଁନ୍ତି,ବିଜେପି ଟିକେଟ ପାଇସାରିଥିବା ୧୦ରୁ ୧୫ ଜଣ ନେତା ଏବେ ବିଜେଡ଼ି ସମ୍ପର୍କରେ ଅଛନ୍ତି। ବିଜେପି ପ୍ରାର୍ଥୀ ଭାବେ ସେମାନେ ଜିତିପାରିବେ ନାହିଁ ବୋଲି ସ୍ୱୀକାର କରିଥିବା ବେଳେ ବିଜେଡ଼ିରୁ ଜିତିବା ନିଶ୍ଚିତ ବୋଲି କହିଛନ୍ତି। ବିଜେପି ନିଜ ପାଇଁ ପ୍ରାର୍ଥୀ ଖୋଜି ପାଉ ନ ଥିବାରୁ ବିଜେଡ଼ି ଅଫିସ ଆଗରେ ବୁଲି ପ୍ରାର୍ଥୀ ଖୋଜୁଛି ବୋଲି ସସ୍ମିତ ପାତ୍ର କହିଛନ୍ତି।

ଅମିତ ଶାହା ଯଦି କହିବାର ଥିଲା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ତାଙ୍କ ଦଳ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହୋଇନି କହିଥିଲେ ଭଲ ହୋଇଥାଆନ୍ତା। ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କାହିଁକି ହୋଇନାହିଁ କହିଥିଲେ ଭଲ ହୋଇଥାନ୍ତା। କିନ୍ତୁ ଦୁଃଖର କଥା ତାଙ୍କ ଭାଷଣରେ ଏସବୁ କଥା ସ୍ଥାନ ପାଇନାହିଁ ବୋଲି କଡା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

Comments are closed.