Odisha Link
Bridging the Missing Links in Odisha

ଦାନ୍ତେୱାଡ଼ାରେ ନକ୍ସଲ ଆକ୍ରମଣ: ବିଜେପି ବିଧାୟକ ନିହତ, ୪ ପୁଲିସ୍ ସହିଦ

ଦାନ୍ତେୱାଡ଼ା: ପୁଣି ଗଣତନ୍ତ୍ର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ଲାଲ ବାହିନୀ। ନିର୍ବାଚନର ୨ ଦିନ ପୂର୍ବରୁ ଲାଲଗଡ଼ ଛତିଶଗଡ଼ରେ ରକ୍ତର ହୋଲି ଖେଳିଛନ୍ତି ନକ୍ସଲ। ସାଧାରଣ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଛତିଶଗଡ଼ ଦାନ୍ତେୱାଡ଼ାଠାରେ ବିଜେପିର ଏକ ନିର୍ବାଚନୀ ଶୋଭାଯାତ୍ରା ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ନକ୍ସଲ ବାହିନୀ। ନକ୍ସଲଙ୍କ ସଂଘଟିତ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଜଣ ପୁଲିସ୍ ସହିଦ ହୋଇଛନ୍ତି। ଏଥିରେ ଦାନ୍ତେୱାଡ଼ା ବିଧାୟକ ଭୀମା ମାଣ୍ଡବୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି।

ବିଧାୟକ ଭୀମା ଏହି ଶୋଭାଯାତ୍ରାର ଶେଷ ଗାଡ଼ିରେ ଯାଉଥିଲେ, ଯାହାକି ଆଇଡି ବିସ୍ଫୋରଣର ଟାର୍ଗେଟ୍‌ରେ ଥିଲା। ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୁଲିସ୍‌ମାନେ ମଧ୍ୟ ସେହି ଗାଡ଼ିରେ ଥିବାରୁ ଏହି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ନକ୍ସଲ ଏହି ନିର୍ବାଚନ ରାଲିକୁ ଟାର୍ଗେଟ୍‌ କରି ବଡ଼ ଷଡ଼ଯନ୍ତ୍ର ରଚନା କରିଥିଲେ ବୋଲି ଘଟଣାସ୍ଥଳରୁ ମିଳିଥିବା ଫଟୋଚିତ୍ର ବୟାନ କରୁଛି। ଏହି ବିସ୍ଫୋରଣ ଘଟାଇବା ପୂର୍ବରୁ ନକ୍ସଲମାନେ କିଛି ରାଉଣ୍ଡ ଫାୟାରିଂ କରିଥିଲେ। ବିସ୍ଫୋରଣ ପରେ ମଧ୍ୟ ବର୍ତ୍ତମାନ ଗୁଳିବିନିମୟ ଜାରି ରହିଛି।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ସ୍ଥାନୀୟ ବିଧାୟକ ଭୀମାଙ୍କ ସହିତ ଅନ୍ୟ କିଛି ବିଜେପି ନେତା ପ୍ରଚାରରେ ଯାଉଥିଲେ। ଛତିଶଗଡ଼ର କୁଆକୋଣ୍ଡା ଥାନା ଅଧୀନରେ ଥିବା ଶ୍ୟାମଗିରି ନାମକ ସ୍ଥାନରେ ଏହି ଘଟଣା ଘଟିଛି ଏବଂ ଶେଷ ଖବର ସୁଦ୍ଧା ସିଆରପିଏଫ୍‌ ଯବାନମାନେ ଏହି ସ୍ଥାନରେ ପହଞ୍ଚି ନକ୍ସଲଙ୍କ ଉପରେ ଗୁଳିମାଡ଼ ଜାରି ରଖିଛନ୍ତି।

Comments are closed.