Odisha Link
Bridging the Missing Links in Odisha

ଦଶପଲ୍ଲାରେ ରମେଶ ବେହେରାଙ୍କ ପ୍ରତି ବଢ଼ୁଛି ଜନସମର୍ଥନ

ନୟାଗଡ଼: ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତି ବିପୁଳ ଜନସମର୍ଥନ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନେ ଉଭୟ ପ୍ରଚାରରେ ଓ ଲୋକପ୍ରିୟତାରେ ବହୁ ପଛରେ ପଡ଼ିଛନ୍ତି।

ଜଣେ ଯୁବ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ରମେଶ ବେହେରାଙ୍କର ପ୍ରସିଦ୍ଧି ଥିବା ବେଳେ ଚଳିତ ନିର୍ବାଚନରେ ସେ ଚାକିରି ଛାଡ଼ି ପ୍ରାର୍ଥୀ ହୋଇଛନ୍ତି। ନିଜର ପ୍ରଚାର ଓ ଲୋକସମ୍ପର୍କ ଦୃଢ଼ କରିବା ପାଇଁ ରମେଶ ଅଗମ୍ୟ ଓ ଅନୁନ୍ନତ ଅଞ୍ଚଳଗୁଡ଼ିକ ବୁଲି ଲୋକଙ୍କ ସୁଖଦୁଃଖ ବୁଝିବା ସହ ନିର୍ବାଚନୀ ପ୍ରଚାର ଚଳାଇଛନ୍ତି। ଏହା ଭିନ୍ନ ପ୍ରତି ପଞ୍ଚାୟତରେ ରୋଡ୍‌ ଶୋ’, ପ୍ରତି ଗାଁରେ ସଭା ଆଉ ପ୍ରତି ପରିବାରକୁ ଭେଟିବାକୁ ଉଦ୍ୟମ କରିଛନ୍ତି ବିଜେଡି ପ୍ରାର୍ଥୀ ରମେଶ।

ନିର୍ବାଚନ ପ୍ରଚାର ଆଉ ମାତ୍ର ଦୁଇଦିନରେ ଶେଷ ହେଉଥିବା ବେଳେ ତାଙ୍କର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ପଡ଼ିଛନ୍ତି। ଗତ ୧୩ ତାରିଖ ରାମନବମୀ ଦିନ ଦଶପଲ୍ଲାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ଉଭୟ ଦଳୀୟ କର୍ମୀ ଓ ସ୍ଥାନୀୟ ମତଦାତାଙ୍କ ଉତ୍ସାହ ବଢ଼ିଯାଇଛି।

ସୋସିଆଲ ନେଟଓ୍ବର୍କ ଓ ହାଇଟେକ୍‌ ପ୍ରଚାର ମାଧ୍ୟମରେ ରମେଶ ଯୁବପିଢ଼ିକୁ ନିଜଆଡ଼କୁ ଭିଡ଼ିବାକୁ ଉଦ୍ୟମ କରୁଛନ୍ତି। ଏହା ସହ ତାଙ୍କର ପ୍ରଚାର ଭିଡିଓଗୁଡ଼ିକ ବେଶ୍‌ ମନଛୁଆଁ ହୋଇଥିବା ବେଳେ ଭାଇରାଲ ହୋଇ ଏବେ ଦଶପଲ୍ଲାରେ ମୋବାଇଲରୁ ମୋବାଇଲ ଘୂରିବୁଲୁଛି।

ଦଶପଲ୍ଲାରେ ରମେଶ ବହୁ ଭୋଟ ବ୍ୟବଧାନରେ ଜିତିବେ ଓ ରାଜ୍ୟରେ ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳୀୟ କର୍ମୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Comments are closed.