Odisha Link
Bridging the Missing Links in Odisha

ପରଲୋକରେ ବେଦପ୍ରକାଶ ଅଗ୍ରଓ୍ୱାଲ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲ ଆଉ ନାହାନ୍ତି। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ବେଦପ୍ରକାଶ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ଅବସ୍ଥା ଗୁରୁତର ହେବାରୁ କିଛି ଦିନ ତଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଚଳିତ ନିର୍ବାଚନରେ ସେ ପାଟକୁରାରୁ ପୁଣି ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ସେ ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୧୪ ଓ ୨୦୦୯ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୧୯୩୭ ମସିହା ଜାନୁଆରୀ ୧୬ ତାରିଖରେ ଜନ୍ମ ହୋଇଥିବା ବେଦପ୍ରକାଶ ୨୦ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ। ସେ ରେଭେନ୍ସା କଲେଜ୍‌ରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର କାଉନ୍‌ସିଲର ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୩୩ ବର୍ଷ ବୟସରେ ସେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ହୋଇଥିଲେ।

ବେଦପ୍ରକାଶ ପ୍ରଥମେ ୧୯୭୪ ମସିହାରେ ଉତ୍କଳ କଂଗ୍ରେସ ଟିକେଟ୍‌ରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ଜନତା ପାର୍ଟି ଟିକେଟ୍‌ରେ ସେ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରେ ସେ ଜନତା ଦଳରୁ ଏହି ଆସନରେ ବିଜୟୀ ହୋଇଥିଲେ। ୨୦୦୦ ମସିହାରେ ସେ ବିଜେପି ଟିକେଟ୍‌ରେ କେନ୍ଦ୍ରାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। ୨୦୦୦ରୁ ୨୦୦୪ ଯାଏ ସେ ଯୋଗାଣ ମନ୍ତ୍ରୀ ଥିଲେ। ଅର୍ଥ ଓ ଯୋଗାଣ ବିଭାଗ ବ୍ୟତୀତ ସେ ବିଭିନ୍ନ ସମୟରେ ବାଣିଜ୍ୟ, ପର୍ଯ୍ୟଟନ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Comments are closed.