Odisha Link
Bridging the Missing Links in Odisha

୫ ବର୍ଷରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି ବିଜେପି: ନବୀନ ପଟ୍ଟାନୟକ

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟାନୟକ । ଭଦ୍ରକ ନିର୍ବାଚନ ସଭାରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି ୫ବର୍ଷରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି ବିଜେପି । ୪ଟି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ସବୁ ନିର୍ବାଚନ ହାରୁଛି ବିଜେପି ।

ବାଲେଶ୍ୱର ଓ ଭଦ୍ରକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ ସିଧାସଳଖ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ୨୦୧୪ ମସିହାରେ କେନ୍ଦ୍ରରେ ବହୁମତରେ ବିଜେପି ସରକାର ଗଠନ କରିଥିଲା । ସରକାରଙ୍କ ଠାରୁ ଲୋକ ବହୁତ କିଛି ଆଶା ଓ ବିଶ୍ୱାସ କରିଥିଲେ । ହେଲେ ୫ବର୍ଷରେ ବିଜେପି କେବଳ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି । ଦେଶରେ ବିମୁଦ୍ରାକରଣ ପରେ ଗରିବ ଲୋକମାନେ ଆହୁରି ଗରିବ ହୋଇଗଲେ । ଜିଏସଟି ଲାଗୁ ହେବା ପରେ ଲୋକଙ୍କୁ ବେରୋଜଗାର ହେବାକୁ ବାଧ୍ୟ କରିଥିଲା । ଚାଷୀଙ୍କ ପାଇଁ ୫ବର୍ଷରେ କିଛି କରିନାହାଁନ୍ତି କେନ୍ଦ୍ର ସରକାର । ଏଥିପାଇଁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ଭଳି ରାଜ୍ୟରେ ବିଜେପି ନିର୍ବାଚନ ହାରିଲା । ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ବିଜେପି କାହିଁକି ହାରିଲା ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀର ବାସୁଦେବପୁରରେ ପ୍ରଚାର କରି ନବୀନ ଆହୁରି ମଧ୍ୟ କହିଛନ୍ତି ବିଜେପିର ଗଡ କୁହାଯାଉଥିବା ଗୁଜୁରାଟରେ ବିଜେପିକୁ ବହୁମତ ମିଳିଲାନାହିଁ । ୧୮୨ଟି ଆସନରୁ ବିଜେପି ୯୯ଟି ଆସନ ଜିତିଥିଲା । ଏଠାରେ ସେ ହାରୁ ହାରୁ ଜିତିଛି ବୋଲି କଟାକ୍ଷ୍ୟ କରିବା ସହ ସାରାଦେଶରେ ବିଜେପି ହାରୁଛି ବୋଲି କହିଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ।

ନିର୍ବାଚନ ସମୟ ଆସିବାରୁ କେନ୍ଦ୍ରର ବଡ ବଡ ନେତାମାନେ ଓଡ଼ିଶାକୁ ବାରମ୍ବାର ଆସୁଛନ୍ତି । ହେଲେ ‘ଫାଇଲିନ, ହୁଡୁହୁଡୁ, ତିତଲି ହେଲା ବେଳେ କୌଣସି ନେତାଙ୍କ ଦେଖା ମିଳିନଥିଲା । ସାଢେ ୪କୋଟି ଓଡ଼ିଶାବାସୀ ମୋର ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରିବେ ।

କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ୨୦୧୯ରେ ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ ବାକି ଥିବା ୨୫ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ନବୀନ ।

Comments are closed.