Odisha Link
Bridging the Missing Links in Odisha

ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି, ରାଜ୍ୟରେ ପୁଣି ନବୀନ

ଭୁବନେଶ୍ବର: ଆଜି ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ୨୦୧୯ ନିର୍ବାଚନରେ ପୂର୍ଣ୍ଣଛେଦ ପଡ଼ିଛି। ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖକୁ। ୨୩ରେ ହେବାକୁ ଥିବା ଭୋଟ ଗଣତି ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ନିଜ ନିଜର ବୁଥ-ବାହୁଡ଼ା ମତ ବା ଏକଜିତ ପୋଲ ପ୍ରକାଶ କରିଛନ୍ତି। ପ୍ରାୟ ଅଧିକାଂଶ ଏକଜିଟ ପୋଲରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ସଂସଦରେ ବହୁମତ ମିଳିବା ନେଇ ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ ଓଡ଼ିଶାର ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ହୋଇଥିବା ସର୍ଭେକୁ ବିଶ୍ବାସକୁ ନିଆଗଲେ, ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ରାଜ୍ୟରେ ପଞ୍ଚମ ଥର ପାଇଁ ବାଜିମାତ କରିବାର ସମ୍ଭାବନା ରହିଛି। ବିଭିନ୍ନ ବାହୁଡ଼ା ମତରୁ ଜଣାପଡ଼ୁଛି ବିଜେଡି ବିଧାନସଭାରେ ପୂର୍ଣ୍ଣ ବହୁମତ ପାଇବା ସହ ୧୦ରୁ ୧୫ଟି ଲୋକସଭା ଆସନ ଜିତିବ।

ଏବେ ସୁଦ୍ଧା ପୂର୍ବାନୁମାନ କରିଥିବା ୮ଟି ସଂସ୍ଥା ବିଜେପି ନେତୃତ୍ୱାଧୀନ ଏନଡିଏକୁ ସଂସଦରେ ବହୁମତ ଦେଇଛନ୍ତି। ରିପବ୍ଲିକ-ସି ଭୋଟର ରିପୋର୍ଟ ଅନୁସାରେ ଏନଡିଏ ୨୮୭ଟି, ୟୁପିଏ ୧୨୮ଟି ଓ ଅନ୍ୟମାନେ ୧୨୭ଟି ସିଟ ପାଇବେ। ସେହିପରି ରିପବ୍ଲିକ ଭାରତ-ଜନ କି ବାତର ରିପୋର୍ଟ ଅନୁସାରେ ଏନଡିଏ ୩୦୫ଟି, ୟୁପିଏ ୧୨୪ଟି ଓ ଅନ୍ୟମାନେ ୧୧୩ଟି ସିଟ ପାଇବେ। ନ୍ୟୁଜ ନେସନର ରିପୋର୍ଟ ଅନୁସାରେ ଏନଡିଏ ୨୮୨ରୁ ୨୯୦ ଟି, ୟୁପିଏ ୧୧୮ରୁ ୧୨୬ଟି ଓ ଅନ୍ୟମାନେ ୧୩୦ ରୁ ୧୩୮ଟି ସିଟ ପାଇବେ। ସେହିପରି ଟାଇମ୍ସ ନାଓର ଆକଳନ ଅନୁସାରେ ଏନଡିଏ ୩୦୬ଟି, ୟୁପିଏ ୧୪୨ଟି ଓ ଅନ୍ୟମାନେ ୯୪ଟି ଆସନ ପାଇବେ। ସେହିପରି ଜି ନ୍ୟୁଜ ଏନଡିଏକୁ ୩୦୬ଟି ଆସନ ଦେଇଛି।

ତେବେ ଗତ ଥର ସଠିକ ପୂର୍ବାନୁମାନ କରିଥିବା ଟୁଡେଜ ଚାଣକ୍ୟ ଉପରେ ସମସ୍ତଙ୍କ ଆଖି ରହିଛି। ଟୁଡେଜ ଚାଣକ୍ୟ ରିପୋର୍ଟ ଅନୁସାରେ ଏନଡିଏ ୩୪୦ଟି, ୟୁପିଏ ୭୦ଟି ଓ ଅନ୍ୟମାନେ ୧୩୩ଟି ଆସନ ପାଇବେ।

ଜାତୀୟ ସଂସ୍ଥାମାନେ ବିଜେଡି ଓଡ଼ିଶାରେ ୧୦-୧୨ ସାଂସଦ ପାଇବ ବୋଲି ପୂର୍ବାନୁମାନ କରିଛନ୍ତି। ତେବେ ସ୍ଥାନୀୟ ଗଣମାଧ୍ୟମ ଓ ଅନ୍ୟ କେତେକ ସ୍ବାଧୀନ ସର୍ଭେରୁ ଜଣାପଡ଼ୁଛି ଯେ ବିଜେଡି ଓଡ଼ିଶା ବିଧାନଭାରେ ୮୯ରୁ ୧୦୩ ପର୍ଯ୍ୟନ୍ତ ଅଆସନରେ ବିଜୟୀ ହେବ।

ଏକ୍ଜିଟ ପୋଲ୍‌ ଆକଳନ ସତ୍ୟ ହେଲେ ଦେଶରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।

Comments are closed.