Odisha Link
Bridging the Missing Links in Odisha

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସ୍ବାଧୀନ ବାହୁଡ଼ା ମତ ସର୍ଭେ ଆଧାରରେ ଓଡ଼ିଶା ଷ୍ଟୋରୀଓଡ଼ିଶା ଲିଙ୍କ ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ରାଜ୍ୟରେ ବିଜୁ ଜନତା ଦଳ ୧୦୩ଟି ବିଧାନସଭା କ୍ଷେତ୍ରରେ ନିଶ୍ଚିତ ବିଜୟ ହାସଲ କରୁଥିବା ବେଳେ ଦଳ ପାଖକୁ ଅତି କମରେ ୧୫ଟି ସାଂସଦ ଆସନ ଯିବ।

କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ପାଟକୁରା ଆସନକୁ ଛାଡ଼ି ମୋଟ ୧୪୬ଟି ବିଧାନସଭା ଆସନ ଓ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଥିଲା।

ବିଧାନସଭାରେ ବିଜେଡିକୁ ୧୦୩ ଆସନ ମିଳିବାର ସମ୍ଭାବନା ଦୃଢ଼ ହେଉଥିବା ବେଳେ ବିଜେପି ୧୧ଟି ଆସନରେ ନିଶ୍ଚୟ ବିଜୟ ଲାଭ କରୁଥିବା ବେଳେ କଂଗ୍ରେସ ୬ଟି ଆସନ, ସିପିଆଇ ଗୋଟିଏ ଆସନ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ନିଶ୍ଚିତ ବିଜୟଲାଭ କରିବେ ବୋଲି ଜଣାପଡ଼ୁଛି। ଏହା ଛଡ଼ା ୨୪ଟି ଆସନରେ ଟକ୍କର କଡ଼ାକଡ଼ି ହେବ। କଡ଼ାକଡ଼ି ଟକ୍କର ହେବାକୁ ଥିବା ୨୪ଟି ଆସନରୁ ୧୫ରୁ ଅଧିକ ଆସନରେ ବିଜେପିର ପଲା ଭାରି ଥିବା ବେଳେ ଦଳର ବିଜୟ ସମ୍ଭାବନା ଅଧିକ ରହିଛି। ଯଦି ଏପରି ହୁଏ ତେବେ, ବିଜେପିର ଆସନ ସଂଖ୍ୟା ୨୬କୁ ବୃଦ୍ଧି ପାଇବ। ଅନୁରୂପ ଭାବେ କଂଗ୍ରେସ ୯ଟି ଆସନରେ ବିଜେଡି ସହ କଡା ଟକ୍କର କରୁଛି। କଂଗ୍ରେସ ହାତକୁ ଯଦି ଏସବୁ ଆସନ ଆସେ ତେବେ ଏହାର ଆସନ ସଂଖ୍ୟା ୧୫ ହେବ।

ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼, ତଳସରା, ଲୋଇସିଂହା, ପାଟଣାଗଡ଼, କଣ୍ଟାମାଳ, ଭବାନୀ ପାଟଣା, ମାଲକାନଗିରି, ଛେଣ୍ଡିପଦା ସମେତ ୧୧ଟି ଆସନରେ ବିଜେପି ନିଶ୍ଚୟ ବିଜୟଲାଭ କରିବ। ଏହା ଭିନ୍ନ ଦଳ ରଣପୁର, ନୟାଗଡ଼, ଚିଲିକା, ବ୍ରହ୍ମଗିରି, ପାଲଲହଡ଼ା ଭଳି ୧୫ଟି ଆସନରେ ବିଜେପିର ପଲ୍ଲା ଭାରି ରହିଛି। ବିଜେଡି ସାଙ୍ଗରେ ୧୫ଟି ଆସନରେ ବିଜେପିର କଡ଼ା ଟକ୍କର ହେଉଥିବା ବେଳେ ଖୁବ କମ ବ୍ୟବଧାନରେ ବିଜୟ ସମ୍ଭାବନା ରହିଛି। କଂଗ୍ରେସ ଦଳ ଖରିଆଳ, ନବରଙ୍ଗପୁର, ଜୟପୁର ଓ ଜଟଣୀ ସମେତ ୬ଟି ଆସନରେ ନିଶ୍ଚୟ ବିଜୟ ଲାଭ କରିବାକୁ ଥିବା ବେଳେ ଆଉ ୯ ଆସନରେ ମଧ୍ୟ କଡା ଟକ୍କର ଦେଉଛି।

ପାରଳାଖେମୁଣ୍ଡିରେ ସ୍ବାଧୀନ ଓ ବଣାଇରେ ସିପିଆଇ ବିଜୟ ଲାଭ କରିବ।

Comments are closed.