Odisha Link
Bridging the Missing Links in Odisha

ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ରାଜ। ଭାରତର ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ପ୍ରାୟ ୮୦୦୦ ଅତିଥିଙ୍କ ଉପସ୍ଥିତିରେ ମୋଦୀ ପ୍ରଧାନମନ୍ତ୍ରିତ୍ୱ ସମ୍ଭାଳିଛନ୍ତି।

ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜନ୍ମିତ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ଦେଶର ଶାସନ ଡ଼ୋରି ସମ୍ଭାଳିଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ ଜନତା ପାର୍ଟିର ଜଣେ ସଫଳ ନେତା ଭାବେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରନ୍ତି। ୨୦୦୧ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ କ୍ରମାଗତ ୩ ପାଳି ଶାସନ କରନ୍ତି। ଏହାପରେ ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀଙ୍କୁ ଭାରତୀୟ ଜନତା ପାର୍ଟି ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରେ। ୨୦୦୪ ମସିହାରୁ କ୍ଷମତାରୁ ଦୂରେଇ ରହିଥିବା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ନିଜ ନେତୃତ୍ୱ ବଳରେ କ୍ଷମତାସୀନ କରାଇବାରେ ସଫଳ ହୁଅନ୍ତି ନରେନ୍ଦ୍ର ମୋଦୀ। ଏହାପରେ ୨୦୧୪ ମେ ୨୬ ତାରିଖରେ ସେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତି।

ବିରୋଧୀଙ୍କ ରାଫେଲ୍‌ ଦୁର୍ନୀତି, ବିଦେଶୀ କଳାଧନ ଫେରାଇ ନ ଆଣି ପାରିବା ଏବଂ ଜିଏସ୍‌ଟି ଆଦି ପ୍ରସଙ୍ଗକୁ ପଛରେ ପକାଇ ଦିଏ ମୋଦୀଙ୍କ ‘ଜାତୀୟ ଗୌରବ’ଉଜ୍ଜିବୀତ କରିବା ପ୍ରସଙ୍ଗ। ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ବାୟୁସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ଏହାପରେ ପାକିସ୍ତାନରେ ବନ୍ଦୀ ହୋଇଥିବା ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଦିନକ ମଧ୍ୟରେ ମୁକୁଳାଇ ଆଣିବା ଭଳି ସେନାର ସାହସୀକ କାର୍ଯ୍ୟକୁ ମୋଦୀ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର କରିଥିଲେ। ଏଥିସହ ଚୀନ ଉପରେ ଚାପ ପକାଇ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଝାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରାଇବା ମୋଦୀଙ୍କ ଭାବମୂର୍ତ୍ତିକୂ ଜନମାନସରେ ସଜାଡ଼ି ଦିଏ।

ମୋଦୀଙ୍କ ଦ୍ୱିତୀୟ ପାଳିର ସରକାର ଦେଶକୁ ଏକ ଦୃଢ ତଥା ସ୍ଥାୟୀ ଶାସନ ଦେବାରେ ସକ୍ଷମ ହେବ। କାରଣ ଲୋକସଭାରେ ବିଜେପି ନେତୃତ୍ୱାଧିନ ମେଣ୍ଟକୁ ୫୪୫ ରୁ ୩୪୮ ଆସନ ମିଳିଛି। ସମଗ୍ର ଦେଶରେ ମୋଦୀଙ୍କୁ ଦ୍ୱିତୀୟ ଥର ଶାସନ ଲାଗି ମିଳିଛି ଜନାଦେଶ। ମୋଦୀ ଶପଥ ଗ୍ରହଣ କରିବା ପୂର୍ବରୁ ସରକାରର ୧୦୦ ଦିନର କାର୍ଯ୍ୟଧାରା କ’ଣ ହେବ ତାହା ସ୍ଥିର କରି ସାରିଛନ୍ତି।

Comments are closed.