Odisha Link
Bridging the Missing Links in Odisha

ଆଜି ମୋଦିଙ୍କ ଶପଥ ଗ୍ରହଣ, ଯୋଗଦେବେନି ନବୀନ

ଭୁବନେଶ୍ବର: ଆଜି ଅପରାହ୍ଣରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବିଜେପି ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ତାଙ୍କର ନୂଆ ମନ୍ତ୍ରିମଣ୍ଡଳକୁ ମଧ୍ୟ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ଏହି ଶପଥ ଗ୍ରହଣ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ନେତା ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ।

ଆଜି ଓଡ଼ିଶା ବିଧାନସଭାରେ ନବନିର୍ବାଚିତ ସଦସ୍ୟମାନେ ଶପଥଗ୍ରହଣ କରିବେ। ଗୃହର ନେତା ଭାବେ ନବୀନଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ ଥିବାରୁ ସେ ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ନୂଆ ମନ୍ତ୍ରିମଣ୍ଡଳକୁ ଶୁଭେଚ୍ଛା ଜଣାଇଛନ୍ତି।

ଗତକାଲି ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ୫ମ ଥର ଲାଗି ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ସହ ୨୦ ଜଣିଆ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ନେଇଛନ୍ତି।

ସୂଚନାଯୋଗ୍ୟ, ନିଜର ଶପଥ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ ପଟ୍ଟନାୟକ। ମୋଦି ଏଥିରେ ଯୋଗ ଦେଇନଥିଲେ, କିନନ୍ତୁ ଟ୍ବିଟ୍‌ କରି ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Comments are closed.