Odisha Link
Bridging the Missing Links in Odisha

ଜୋର ଧରିଲା ପାଟକୁରା ନିର୍ବାଚନ ଚର୍ଚ୍ଚା, ନୂଆଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଭେଟିଲେ ବିଜୟ

ଭୁବନେଶ୍ବର: ଯେ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ। ଦୁଇ ସପ୍ତାହ ଭିତରେ ଘୋଷଣା ହୋଇପାରେ। କମିସନ୍ ଏ ସମ୍ପର୍କିତ ରିପୋର୍ଟ ସିଇଓଙ୍କ ଠାରୁ ମଗାଇଛନ୍ତି। ଏପଟେ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଜି ନୂଆଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ଫଳରେ ପାଟକୁରା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି।

ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନ ଘୁଞ୍ଚିଥିଲା। ପରବର୍ତ୍ତୀ ସମୟରେ ମେ ୧୯ରେ ପାଟକୁରାରେ ଭୋଟ୍‌ଗ୍ରହଣ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଫନି ବାତ୍ୟା ଯୋଗୁଁ ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ କମିସନ୍ ଦୁଇ ମାସ ଘୁଞ୍ଚାଇ ଦେଇଥିଲେ। ସେହି ଅନୁଯାୟୀ ଜୁଲାଇ ୧୯ ତାରିଖ ଭିତରେ ପାଟକୁରାରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।

ନିର୍ବାଚନ ତାରିଖ ଘୋଷଣା ପାଇଁ ନିର୍ବାଚନ କମିସନ୍ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପାଟକୁରାରେ ବର୍ତ୍ତମାନର ସ୍ଥିତି ନେଇ ସିଇଓଙ୍କୁ ରିପୋର୍ଟ ମଗାଇଛନ୍ତି। ତେଣୁ ଆସନ୍ତା ସପ୍ତାହ‌ ପରେ ଯେ କୌଣସି ସମୟରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି।

ପାଟକୁରା ଆସନ ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ୨୦୦୦ ମସିହା ପର ଠାରୁ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ନ ଦେବା ପାଇଁ ବିଜେଡି ଚାରିଟି ଯାକ ନିର୍ବାଚନରେ କରିଥିବା ରଣନୀତିରେ ସଫଳ ହୋଇଛି। ବିଧାନସଭା ବାହାରେ ରହି ଶ୍ରୀ ମହାପାତ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିଲେ ବି ବିଧାନସଭାରେ ପ୍ରବେଶ କରିବାରେ ସଫଳ ହୋଇ ନାହାନ୍ତି। ଦୁଇ ଥର ପାଟକୁରାରୁ ଓ ଥରେ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇ ସେ ପରାଜୟ ବରଣ କରିଛନ୍ତି। କିନ୍ତୁ ଏଥର ପାଟକୁରାରେ ବିଜୟ ଜିତିବା ନେଇ ବିଜେପି ଶିବିର ଆଶାବାଦୀ।

Comments are closed.