Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର

ଓଭାଲ୍: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ୧୪ ତମ ମ୍ୟାଚ ଓଭାଲ ପଡ଼ିଆରେ ଖେଳାଯିବ। ଆଜିର ହାଇଭୋଲଟେଜ୍‌ ମ୍ୟାଚରେ ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଲଣ୍ଡନର ଐତିହାସିକ ଓଭାଲ୍‌ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ।
୫୦-ଓଭର୍‌ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍‌ରେ ବିରାଟ ବାହିନୀ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ନିଶ୍ଚୟ ପ୍ରୟାସ କରିବ।ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବିଶ୍ୱର ୩ ନଂ ରାଙ୍କରେ ଥିବା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବୋଲିଂରେ କମାଲ କରିଥିଲେ ଚହଲ ଓ ବୁମ୍ରା। ଆଜି ମଧ୍ୟ ଏମାନଙ୍କ ଉପରେ ଟିମ୍‌ ଇଣ୍ଡିଆ ଅଧିକ ଭରସା ରଖିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚ୍ ଖେଳି ସାରିଛି ଓ ଉଭୟରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଦଳ ଆଫ୍‌ଗାନିସ୍ତାନକୁ ଏକ ପାଖିଆ ଭାବେ ପରାସ୍ତ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ସହ ଲଢ଼େଇ କରି ପୂରା ପଏଣ୍ଟ ହାସଲ କରିଥିଲା।
ଧଓ୍ବନ ଓ କୋହଲି କ୍ରିଜରେ ରହିବା ଜରୁରୀ
ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଅଭ୍ୟାସ ମ୍ୟାଚ୍‌ରୁ ହିଁ ଫ୍ଲପ୍‌ ହୋଇ ଆସୁଛନ୍ତି। ବିରାଟ୍‌ କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୧୮ ରନ୍‌ କରିଥିଲେ। ତେବେ ଗୋଟିଏ ମ୍ୟାଚ୍‌କୁ ନେଇ ତାଙ୍କ ଉପରୁ ଆଶା ହରାଇ ହେବ ନାହିଁ। ଆଜି ସେ ତାଙ୍କ ବ୍ୟାଟିଂର ଯାଦୁ ଦେଖାଇବା ଆବଶ୍ୟକ। ତାଙ୍କ ସହିତ ଦଳର ବ୍ୟାଟିଂ ଦାୟିତ୍ୱ ରୋହିତ ଶର୍ମା, କେଏଲ ରାହୁଲ ଏବଂ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ନିର୍ଭର କରିବ। ହାର୍ଦ୍ଦିକ ପାଣ୍ଡ୍ୟା ୭ ନଂରେ କେମିତି ବ୍ୟାଟିଂ କରିବେ, ତା’ ଉପରେ ବି ରହିବ ନଜର।
ୱାର୍ଣ୍ଣର ଓ ସ୍ମିଥ୍‌ଙ୍କ କମ୍‌ବ୍ୟାକ୍
ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଦୁର୍ବଳ ସ୍ଥିତିରେ ଥିଲା। ହେଲେ ଏବେ ଦଳକୁ ଦୁଇ ଷ୍ଟାର ଖେଳାଳି ଡେଭିଡ୍‌ ୱାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥଙ୍କ କମ୍‌ବ୍ୟାକ୍‌ କରିଛନ୍ତି। ଅଷ୍ଟ୍ରେଲିଆର ମଧ୍ୟକ୍ରମ ମଧ୍ୟ ବେଶ୍‌ ଶକ୍ତିଶାଳୀ। ଦଳରେ ଉସମାନ ଖ୍ୱାଜା, ମାର୍କସ ଷ୍ଟୋଇନିସ୍‌ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଅଛନ୍ତି। ସେହିପରି ନେଥନ କୁଲଟରନାଇଲ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ୯୨ ରନ୍‌ର ଇନିଂସ୍‌ ଖେଳିଥିଲେ। କେବଳ ଅଧିନାୟକ ଆରୋନ ଫିଞ୍ଚ ଫର୍ମରେ ନାହାନ୍ତି।
ଅଷ୍ଟ୍ରେଲିଆ ସପକ୍ଷରେ ରେକର୍ଡ
ବିଶ୍ୱକପ୍‌ରେ ସର୍ବଦା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ ରୋମାଞ୍ଚକର ରହି ଆସିଛି। ହେଲେ ରେକର୍ଡ ଦେଖିଲେ ଭାରତ ଅପେକ୍ଷା ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଅଧିକ ମ୍ୟାଚ୍‌ ଜିତିଛି। ଦୁଇ ଦେଶ ପରସ୍ପରକୁ ୧୧ଥର ଭେଟିଥିବା ବେଳେ ଅଷ୍ଟ୍ରେଲିଆ ୮ଥର ବିଜୟୀ ହୋଇଛି।
ଭାରତର ସାମ୍ଭାବ୍ୟ ଏକାଦଶ:ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ୍,ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା ।
ଅଷ୍ଟ୍ରେଲିଆର ସମ୍ଭାବ୍ୟ  ଏକାଦଶ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର, ଉସମାନ୍ ଖ୍ୱାଜା, ଷ୍ଟିଭ୍ ସ୍ମିଥ୍, ଆଲେକ୍ସ କ୍ୟାରି, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ୍ ଷ୍ଟୋଇନିସ୍, ମିଚେଲ୍ ଷ୍ଟାର୍କ, ନେଥନ୍ କୁଲ୍ଟର-ନାଇଲ୍, ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପା।

Comments are closed.