Odisha Link
Bridging the Missing Links in Odisha

ବିଜେଡିର ମହିଳା,ଯୁବ ଓ ଛାତ୍ର ସଭାପତି ବଦଳିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ଲଗାତାର ୫ମଥର ପାାଇଁ ସରକାର ଗଠନ କରିସାରିଛି । ବିଜେଡି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୧୨ଟି ସିଟ୍‌ ଅକ୍ତିଆର କରିଛି ଏବଂ ପୂର୍ଵଥର ଅପେକ୍ଷା ୫ଟି ଆସନର କ୍ଷତି ହୋଇଛି । ଏହାସହ ଦଳର ଚିନ୍ତା ବଢ଼ାଇଛି ଲୋକସଭା ଆସନ । ୨୦୧୪ ନିର୍ବାଚନରେ ବିଜେଡ଼ି ଅକ୍ତିଆର କରିଥିଲା ୨୦ଟି ଆସନ । ନିର୍ବାଚନୀ ପ୍ରଚାର ବେଳେ ଏଥର ମୁଖ୍ୟମନ୍ତ୍ରୀ କହିଥିଲେ ବିଜେଡି ୨୧ରୁ ୨୧ ଜିତିବ କିନ୍ତୁ ବିଜେଡି ହାତରେ କେବଳ ୧୨ଟି ଆସନ ରହିଲା । ସବୁଠାରୁ ଅଧିକ ଆସନ ପଶ୍ଚିମ ଓଡ଼ିଶାରେ ହରାଇଲା । ତେଣୁ ଏହି ପରାଜୟର କାରଣ ଖୋଜିବାକୁ ଓ ଦଳକୁ ଅଧିକ ମଜଭୁତ କରିବାକୁ ଆରମ୍ଭ ହୋଇଯାଇଛି ବିଚାର ବିମର୍ସ । ବରିଷ୍ଠ ଓ ଅଭିଜ୍ଞ ନେତା ସବୁ ଘଟଣାକୁ ଗଭୀରତା ସହ ଯାଞ୍ଚ କରିବା ପରେ ଏହାର ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ମୁତାବକ ଛାତ୍ର, ଯୁବ ଓ ମହିଳା ସଭାପତିଙ୍କ କାର୍ଯ୍ୟଦକ୍ଷତାରେ କିଛି କମି ରହିଯାଇଛି । ତେଣୁ କର୍ପୋରେଟର ଓ ମୁନିସପାଲଟି ନିର୍ବାଚନ ଆଗକୁ ଥିବାରୁ ଦଳ ପକ୍ଷରୁ ହୋଇଥିବା ବୈଠକରେ ଛାତ୍ର, ଯୁବ ଓ ମହିଳା ସଭାପତିଙ୍କୁ ପରିବର୍ତ୍ତନ କରାଯିବାକୁ ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।ଅପରପକ୍ଷରେ ଯୁବ, ଛାତ୍ର ଓ ମହିଳା ସଭାପତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେମାନଙ୍କ କହିବା ମୁତାବକ ନିର୍ବାଚନ ସମୟରେ ସେମାନଙ୍କୁ କାମ କରିବାକୁ ବିଶେଷ ସୁବିଧା ଦିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଯୁବ ଓ ଛାତ୍ର ସଭାପତି ଜଣେ ଷ୍ଟାଣ୍ଡିଂ ବିଧାୟକ ରହିବାକୁ ପୂର୍ବରୁ ସ୍ଥିର ହୋଇଥିଲା । ମାତ୍ର ଛାତ୍ର ସଭାପତି ଦାୟିତ୍ୱ ଜଣେ ବିଧାୟକଙ୍କୁ ନଦେଇ ଛାତ୍ର ନେତାଙ୍କୁ ଦେବାକୁ ନେଇ କିଛି ନେତା ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ପଶ୍ଚିମ ଓଡ଼ିଶାରେ ବିଜେଡି ଖରାପ ପ୍ରଦର୍ଶନ କରିଥିବାରୁ ଯୁବ କିମ୍ବା ମହିଳା ସଭାପତି ଜଣେ ପଶ୍ଚିମ ଓଡିଶାର ପ୍ରାର୍ଥୀଙ୍କୁ କରାଯିବ ନେଇ ମଧ୍ୟ ବିଚାରବିମର୍ଷ ହୋଇଛି । ଏହି ବୈଠକରେ ମହିଳା ସଭାପତି ପାଇଁ ଶ୍ରୀମୟୀ ମିଶ୍ରଙ୍କ ନାଁ ଶୁଣିବାକୁ ମିଳୁଛି । ଶ୍ରୀମୟୀ ମିଶନ ଶକ୍ତିର ଜଣେ ଦକ୍ଷ କାର୍ଯ୍ୟକର୍ତ୍ତା । ନିର୍ବାଚନ ସମୟରେ ସୁନ୍ଦରଗଡ଼ ଆସନ ପାଇଁ ଶ୍ରୀମୟୀଙ୍କ ନାଁ କୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା । ଶ୍ରୀମୟୀ ବର୍ତ୍ତମାନ ମହିଳା ବିଜେଡିର  କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି । ସେହିପରି ଯୁବ ସଭାପତି ପାଇଁ ପୂର୍ବତନ ଯୁବ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନାଁ ଆଗରେ ଅଛି । ଏବଂ ଛାତ୍ର ସଭାପତି ପାଇଁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନାଁ ଆଗରେ ଥିବା ବେଳେ ଯଦି ଏହି ଦାୟିତ୍ୱ ବିଧାୟକଙ୍କୁ ନଦିଆଯାଏ ତେବେ ଏହି ଦୌଡରେ ଛାତ୍ର ବିଜେଡିର ଉପ ସଭାପତି ରାଜେଶ ରାଜ ସ୍ବାଇଁ, ଛାତ୍ର ବିଜେଡିର ମହା ସଚିବ ହରିଶଙ୍କର ରାଉତଙ୍କ ସମେତ ଭୁବନେଶ୍ୱର ଛାତ୍ର ଜିଲ୍ଲା ସଭାପତି କଳ୍ପତରୁ ଓଝା ଓ ଭୁବନେଶ୍ୱର ଛାତ୍ର ଜୋନ ସଭାପତି ଅଜିତ ବେହେରାଙ୍କ ନାଁ କୁ ନେଇ ଚର୍ଚ୍ଚା ହେଉଥିବା ସୂଚନା ମିଳିଛି।

Comments are closed.