Odisha Link
Bridging the Missing Links in Odisha

୧୦୯ ଘଣ୍ଟାର ମୃତ୍ୟୁ ସହ ସଂଘର୍ଷ କରି ଆଖି ବୁଜିଲା ୩ ବର୍ଷର ଶିଶୁ

ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ କରି ଶେଷରେ ହାର ମାନିଛି ଜୀବନ। ଦୀର୍ଘ ୧୦୯ ଘଣ୍ଟା ସଂଘର୍ଷ କରି ୩ ବର୍ଷର ଶିଶୁ ଫତେହବୀର ସିଂହ ଜୀବନ ଯୁଦ୍ଧରେ ହାରି ଯାଇଛି। ୩ବର୍ଷ ତଳେ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା, ତାର ଠିକ୍‌ ଦୁଇ ବର୍ଷ ପରେ ଦୁନିଆରୁ ବିଦାୟ ନେଇଛି ଫତେହବୀର। ଏନଡିଆରଏଫ୍ ଟିମ୍, ପୁଲିସର ମିଳିତ ନନଷ୍ଟପ ଅପରେଶନ ପରେ ୧୫୦ ଫୁଟ ବୋରଓ୍ୱେଲ ଗାତରୁ ଫତେହବୀର ସିଂହ ଉଦ୍ଧାର ହୋଇଥିଲେ ମଧ୍ୟ ମୃତ୍ୟୁର ମୁହଁରୁ ବର୍ତ୍ତି ପାରିନାହିଁ। ଉଦ୍ଧାର ପରେ ଭାଟିଣ୍ଡା ହସ୍ପିଟାଲରେ ଏହି ୩ ବର୍ଷର ଛୋଟ ଛୁଆ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ଘଟିଛି।
ଜୁନ ୬ ତାରିଖ ଘର ପାଖରେ ଖେଳୁଥିବା ବେଳେ ଫତେହବୀର ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ଗଭୀର ବୋରଓ୍ୱେଲ ଭିତରକୁ ଖସି ପଡ଼ିଥିଲା। ବୋରଓ୍ୱେଲଟି ଖୋଳାଯିବା ପରେ ଏକ କପଡ଼ା ଜରିଆରେ ଘୋଡ଼ାଯାଇଥିଲା ବୋଲି ସୂଚନା ମିଳିଛି। ଖେଳୁଥିବା ବେଳେ ଜାଣିନପାରି ଫତେହବୀର ଗାତ ଭିତରେ ଗୋଡ଼ ପକାଇ ଦେଇଥିଲା। ଘଟଣାସ୍ଥଳରେ ଫତେହବୀରର ମାଆ ଉପସ୍ଥିତ ଥିଲେ ମଧ୍ୟ ପୁଅକୁ ଉଦ୍ଧାର କରି ପାରିନଥିଲେ।
ଏହା ପରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବୋରଓ୍ୱେଲ ଭିତରେ ଅମ୍ଳଜାନ ବଢ଼ାଇ ଦିଆଯିବା ସହିତ ଖାଦ୍ୟ ପଠାଉଥିଲେ ଉଦ୍ଧାରକାରୀ ଟିମ୍। ଜେସିବି ମେସିନ ଏବଂ ଟ୍ରାକ୍ଟର ସାହାଯ୍ୟରେ ବୋରଓ୍ୱେଲ ପାଖ ସ୍ଥାନରେ ଖୋଳା ହୋଇ ଫତେହବୀର ପାଖରେ ପହଞ୍ଚିଥିଲେ ଉଦ୍ଧାରକାରୀ ଟିମ୍।
ଜିଲ୍ଲା ପ୍ରଶାସନର ସହଯୋଗରେ ଏନଡିଆରଏଫ୍ ଟିମ୍ ଓ ପୁଲିସ କର୍ମୀ ଦିନ ରାତି ଏକ କରି ଫତେହବୀରକୁ ଉଦ୍ଧାର କରିବାକୁ ଲାଗି ପଡ଼ିଥିଲେ ହେଲେ ତା ଜୀବନ ବଞ୍ଚାଇ ପାରିନଥିଲେ। ଗାତ ଭିତରେ ଖସିପଡ଼ିବାର ୪୦ ଘଣ୍ଟା ପରେ ଫତେହବୀର ପ୍ରଥମେ ଦେହ ହାତ ହଲାଇଥିଲା ବୋଲି ସୂଚନା ଦେଇଥିଲେ ଉଦ୍ଧାରକାରୀ ଦଳ।
ସୂଚନାଯୋଗ୍ୟ ଯେ, ଏଭଳି ଘଟଣା ପୂର୍ବରୁ ମଧ୍ୟ ହୋଇଛି। ୧୧ ବର୍ଷ ତଳେ ହରିଆଣାରେ ୪ ବର୍ଷର ଶିଶୁ ପ୍ରିନ୍ସ ୫୦ ଫୁଟ ଗଭୀର ବୋରୱେଲ ଗାତରେ ଖସି ପଡିଥିଲା। ସେତେବେଳେ ପ୍ରିନ୍ସକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ସେହିପରି ଗତବର୍ଷ ଅନୁଗୁଳ ଜିଲ୍ଲାର ଗୋଳସାର ଗାଁରେ ମଧ୍ୟ ୩ ବର୍ଷର ଶିଶକନ୍ୟାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା।

Comments are closed.