Odisha Link
Bridging the Missing Links in Odisha

ଏଣିକି ଟଙ୍କାକରେ ମିଳିବ ମାଣ୍ଡିଆ

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ପୌଷ୍ଟିକ ଅଭିବୃଦ୍ଧି ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଆଖି ଆଗରେ ରଖି ଚଳିତବର୍ଷଠାରୁ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେବା ସହିତ ସମସ୍ତ ରାସନକାର୍ଡଧାରୀଙ୍କୁ ୧ ଟଙ୍କା ଦରରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ । ଏଥିପାଇଁ ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ୧ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବେ ବୋଲି ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି ।
ସୂଚନା ଅନୁସାରେ, ସଚିବାଳୟରେ ଅନୁଷ୍ଠିତ ବୈଠକରେ କୃଷି ସଚିବ ସୌରଭ ଗର୍ଗ ଦର୍ଶାଇଥିଲେ ଯେ ଚଳିତ ବର୍ଷଠାରୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ନୂଆପଡ଼ା ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ ପରୀକ୍ଷା ମୂଳକ ଭାବେ ମାଣ୍ଡିଆ ଚାଷ ଆରମ୍ଭ କରାଯିବାକୁ ବିଭାଗ ଯୋଜନା ରଖିଛି । ସହରାଞ୍ଚଳରେ ବିଭିନ୍ନ ପାଉଁରୁଟି ଓ ବିସ୍କୁଟ ତିଆରି କମ୍ପାନୀ, ମିଠା ଯୋଗାଣକାରୀ ଏବଂ ବ୍ୟବସାୟୀ ସଂସ୍ଥାମାନଙ୍କ ସହିତ ମିଳିତ ଭାବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟର ଚାହିଦା ବଢ଼ାଇବା ଲାଗି ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠି କହିଥିଲେ ଯେ ଏଣିକି ଖୁଚୁରା ବିକ୍ରୟ କେନ୍ଦ୍ରରେ ଯେଭଳି ମାଣ୍ଡିଆ ମିଳିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକେ ଯେଭଳି ଏହାଜାଣିପାରିବେ ସେ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପ୍ରତି ରାସନକାର୍ଡ ପିଛା ୧ ଟଙ୍କା ଦରରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ । ଏହା ସହିତ ମାଲକାନଗିରି ଜିଲ୍ଲାର ହିତାଧିକାରୀମାନଙ୍କୁ ୨ କିଲୋ ମାଣ୍ଡିଆ ଯୋଗାଇବାକୁ ଶ୍ରୀ ତ୍ରିପାଠି କହିଛନ୍ତି ।
କୃଷି ସଚିବ କହିଥିଲେ ଯେ ପ୍ରଥମ କରି ପରୀକ୍ଷାମୂଳକ ଭାବେ ୧୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ ଚାଷୀଙ୍କୁ ବଣ୍ଟନ ହେବ । ଖରିଫ ଋତୁରେ ଚାଷୀମାନଙ୍କ ଠାରୁ ମାଣ୍ଡିଆ କୁଇଣ୍ଟାଲ ପିଛା ୨୮୯୭ ଟଙ୍କାରେ ସଂଗ୍ରହ କରାଯିବ । କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର କହିଥିଲେ ଯେ ୨୦୧୮ ଖରିଫରେ ୨୪ ହଜାର ୪୯୯ କୃଷକ ପଞ୍ଜୀକରଣ କରିଥିଲେ । ସେଥି ମଧ୍ୟରୁ ୬୬୨୨ ଜଣ କୃଷକ ସେମାନଙ୍କର ବଳକା ବିହନ ଟିଡିସିସିକୁ ବିକ୍ରି କରିଥିଲେ । ୮ଟି ଜିଲାର ୬୮ଟି ସମବାୟ ସମିତି ମାଧ୍ୟମରେ ୧୭ ହଜାର ୯୮୬ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିଲା । ସରକାରଙ୍କ ଏହି ମାଣ୍ଡିଆ କିଣା କାର୍ଯ୍ୟକ୍ରମ ଯୋଗୁଁ ଘରୋଇ ମାଣ୍ଡିଆ ବ୍ୟବସାୟୀମାନେ କୃଷକଙ୍କ ଠାରୁ ଅଧିକ ଦରରେ ମାଣ୍ଡିଆ କ୍ରୟ କରିଥିବା ଶ୍ରୀ କୁମାର ଦର୍ଶାଇଥିଲେ ।

Comments are closed.