Odisha Link
Bridging the Missing Links in Odisha

ସାମ୍ବାଦିକ ପ୍ରଶାନ୍ତଙ୍କୁ ଜାମିନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗିରଫ ହୋଇଥିବା ଉତ୍ତର ପ୍ରଦେଶ ସାମ୍ୱାଦିକ ପ୍ରଶାନ୍ତ କନୌଜିଆୟାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ୱିଟ୍ କରି ଗିରଫ ହୋଇଥିଲେ ପ୍ରଶାନ୍ତ। ସାମ୍ୱାଦିକ ଜଣଙ୍କ ଭିଡିଓ ଏବଂ ଟ୍ୱିଟରେ ଲେଖିଥିବା ବାର୍ତ୍ତା ଭୁଲ୍ ହୋଇପାରେ କିନ୍ତୁ କେଉଁ ଆଧାରରେ ଗିରଫ କଲ ସେ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଉତ୍ତର ପ୍ରଦେଶ ସରକାରଙ୍କୁ। ଯାହାର ଉତ୍ତର ରଖି ପାରିନଥିଲେ ୟୁପି ସରକାରଙ୍କ ଓକିଲ। ତେଣୁ ତୁରନ୍ତ ତଳ କୋର୍ଟରୁ ଜାମିନ ଦେବାକୁ ଆବେଦେନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଉତ୍ତର ପ୍ରଦେଶ ପୁଲିସ ସାମ୍ୱାଦିକ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ଜାମିନ ପାଇଁ ପ୍ରଶାନ୍ତଙ୍କ ସ୍ତ୍ରୀ ଜାଗିଶ ଅରୋଡା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଅଜୟ ରାସତୋଗୀ ମାମଲାର ଶୁଣାଣି କରି ଯୋଗି ଆଦିତ୍ୟନାଥଙ୍କ ସରକାର ଶାସନକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଆବେଦନକାରୀ ଜାଗିଶ ଅରୋଡା କହିବା ଅନୁସାରେ ସାଧା ପୋଷାକରେ ଦୁଇ ଜଣ ଲୋକ ବିନା ଓ୍ୱାରେଣ୍ଟରେ ଆସି ତାଙ୍କ ଦିଲ୍ଲୀ ବାସଭବନରୁ ପ୍ରଶାନ୍ତଙ୍କୁ ଗିରଫ କରିଥିଲେ।

ସୂଚନାଯୋଗ୍ୟ, ପ୍ରଶାନ୍ତ ଜଗଦୀଶ କନୋଜିଆ ଷ୍ଟ୍ରିଞ୍ଜର-ରିପୋର୍ଟର ଭାବରେ ‘ନ୍ୟାଶନାଲ ଲାଇଭ’ ଚ୍ୟାନେଲରେ କାମ କରୁଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାନ୍ତ ଜଗଦୀଶ ଏହି ଭିଡିକୁ ନିଜ ଆକାଉଣ୍ଟରୁ ଟ୍ୱିଟ କରିବ ସହ ଜୁନ୍ ୬ ତାରିଖ ଦିନ ଉକ୍ତ ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ଭିଡିଓକୁ ବ୍ୟବହାର କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସମ୍ମାନହାନି କଲାଭଳି ମନ୍ତବ୍ୟ ରଖିଥିଲେ। ଏହାପରେ ଲକ୍ଷ୍ନୌର ଜଣେ ପୁଲିସ କର୍ମୀ ସେହି ଭିଡିଓର ପ୍ରଦର୍ଶନ ବିରୋଧରେ ଥାନାରେ ଏତଲା ଦେବା ପରେ ସାମ୍ୱାଦିକ ପ୍ରଶାନ୍ତ ଜଗଦୀଶଙ୍କୁ ଦିଲ୍ଲୀର ପଶ୍ଚିମ ବିନୋଦ ନଗର ଅଞ୍ଚଳରୁ ପୁଲିସ ଗିରଫ କରିଥିଲା।

Comments are closed.