Odisha Link
Bridging the Missing Links in Odisha

ଏଏନ୍‌-୩୨ ବିମାନ: ୮ ଦିନ ପରେ ଅରୁଣା‌ଚଳ ଜଙ୍ଗଲରେ ମିଳିଲା ଭଗ୍ନାବଶେଷ

ନୂଆଦିଲ୍ଲୀ: ୮ ଦିନର ସର୍ଚ୍ଚ ଅପରେସନ ପରେ ଭାରତୀୟ ବାୟୁସେନା ବିମାନ ଏନ-୩୨ ଠାବ ହୋଇଛି। ଗତକାଲି ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ୍-୩୨ ବିମାନକୁ ଠାବ କରିଛି। ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏନ୍‌-୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ମଧ୍ୟରେ ୮ ଜଣ କ୍ରୁ ସଦସ୍ୟ ଏବଂ ୫ ଜଣ ଯାତ୍ରୀ ରହିଥିଲେ। ଶେଷଥର ପାଇଁ ଅପରାହ୍ନ ୧ଟାରେ ବିମାନ ସହ ଯୋଗାଯୋଗ ହୋଇଥିଲା।ବା‌ୟୁସେନା ହେଲିକପ୍‌ଟର ଏମ୍‌ଆଇ-୧୭ ଏହାକୁ ଠାବ କରିଥିଲା। ତେବେ ବିମାନରେ ଥିବା ୧୩ ଜଣଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ କିଛି ଖୋଜ ଖବର ମିଳିନାହିଁ। ସେମାନଙ୍କୁ ଠାବ କରିବାପାଇଁ ଦୁର୍ଗମ ପାର୍ବତ୍ୟାଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ ହେବ। ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବେ ସେମାନଙ୍କ ବିଷୟ‌ରେ ଖବର ପାଇବାପାଇଁ ଆସାମରେ ଅପେକ୍ଷା କରି ରହିଛନ୍ତି। ଘଞ୍ଚ ଜଙ୍ଗଲ ଥିବାରୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାଂଶ ପାଖରେ ପହଞ୍ଚିବାକୁ ସହଜ ନୁହେଁ ବୋଲି ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶର ଡିଜିପି ଏସବିକେ ସିଂହ, ବାୟୁସେନାର ଅଧିକାରୀ, ସ୍ଥାନୀୟ ପ୍ରଶାସନ ସହିତ ଏକ ବୈଠକ ହୋଇଛି। ବିମାନର ଭଗ୍ନାଂଶ ପଡ଼ିଥିବା ସ୍ଥାନକୁ ଯିବା ପାଇଁ ରାସ୍ତା ନଥିବାରୁ ଏକ ସ୍ଥାନୀୟ ହେଲିପ୍ୟାଡ ଚିହ୍ନଟ ହୋଇଛି। ହେଲିପ୍ୟାଡରୁ ଓହ୍ଲାଇବା ପରେ ପାଖାପାଖି ୩ରୁ ୪ ଘଣ୍ଟା ଚାଲି ଚାଲି ଯିବାକୁ ପଡ଼ିବ ବୋଲି ସୂଚନା ମିଳିଛି। ତେଣୁ ସହଯୋଗ ପାଇଁ ଭାରତୀୟ ବାୟୁସେନା ପର୍ବତାରୋହୀଙ୍କ ସାହାଯ୍ୟ ନେବ ବୋଲି ଜଣାପଡ଼ିଛି। ଜୁନ ୩ ତାରିଖରେ ଏନ-୩୨ ବିମାନ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନରେ ଭାରତୀୟ ବାୟୁସେନାର ବିମାନ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍‌-୩୨ ଓ ଏମଆଇ-୧୭, ଇସ୍ରୋ ସାଟେଲାଇଟ, ଡ୍ରୋନ, ବିମାନ ଆଦି ନିୟୋଜିତ ଅଛନ୍ତି। ନିଖୋଜ ଏଏନ୍‌-୩୨କୁ ଠାବ କରିବାରେ ଯେଉଁ ସଫଳତା ମିଳିଛି ତାହା ପଛରେ ସୁଖୋଇ ୩୦, ଡ୍ରୋନ୍‌ ଏବଂ ସାଟେଲାଇଟ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୂଚନାଯୋଗ୍ୟ, ଏହି ଏନ-୩୨ ବିମାନ ଭାରାତୀୟ ବାୟୁସେନାର ୧୯୮୬ ମସିହାରେ ସାମିଲ ହୋଇଥିଲା। ଦୁର୍ଘଟଣାଗ୍ରସ୍ଥ ବିମାନଟି ଅପଗ୍ରେଡ ହୋଇନଥିବାରୁ ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ବିଚାର କରାଯାଇଛି।

Comments are closed.