Odisha Link
Bridging the Missing Links in Odisha

ଓ୍ୱାଇଏସଆର କଂଗ୍ରେସର ସାଂସଦ ଉପବାଚସ୍ପତି ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଲୋକସଭାରେ ଉପବାଚସ୍ପତି କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଓଡ଼ିଶାର ଶାସକ ଦଳର ସାଂସଦଙ୍କୁ ଉପ ବାଚସ୍ପତି ପଦ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏନଡିଏରେ ସାମିଲ ଥିବା ଶିବସେନା ଏହାକୁ ବିରୋଧ କରିବାରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। କିନ୍ତୁ ଏବେ ଲୋକସଭାରେ ଉପ ବାଚସ୍ପତି ପଦବୀ ପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଉପରେ ନଜ ପକାଇଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ବିଜେପି ସାଂସଦ ଜିଭିଏଲ ନରସିମହା ରାଓ ଭେଟିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏଭଳି କିଛି ଆଲୋଚନା ହୋଇଥିବା କଥାକୁ ଖଣ୍ଡନ କରିଛନ୍ତି ବିଜେପି ନେତା ଜିଭିଏଲ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଲୋକସଭାରେ କିଏ ହେବ ଉପବାଚସ୍ପତି ତାହା ଭାରତୀୟ ଜନତା ପାର୍ଟି ସ୍ଥିର କରିବ। ଗୃହରେ ସବୁଠାରୁ ବଡ଼ ଦଳ କଂଗ୍ରେସ ଦ୍ୱିତୀୟରେ ଡିଏମକେ ରହିଛି। ଏହି ଦୁଇ ଦଳ ଉପ ବାଚସ୍ପତି ପଦବୀ ପାଇଁ ମନା କରିଛନ୍ତି। ତେଣୁ ତୃତୀୟ ବୃହତ ଦଳ ଭାବରେ ଓ୍ୱାଇଏସଆର କଂଗ୍ରେସକୁ ପ୍ରସ୍ତାବ ଦିଆଯାଇପାରେ। ଓ୍ୱାଇଏସଆର କଂଗ୍ରେସ ଓ ତୃଣମୂଳ ୨୨ଟି ଲେଖାଏଁ ସିଟ୍ ଜିତିଛନ୍ତି। ହେଲେ ବିଜେପି ଓ ଟିଏମସି ପରସ୍ପରର ଘୋର ବିରୋଧୀ ହୋଇଥିବାରୁ ଟିଏମସିକୁ ଉପ ବାଚସ୍ପତି ପଦବୀ ପ୍ରସ୍ତାବ ବିଜେପି ଦେବ ନାହିଁ।

ଚଳିତ ଥର ସାଧାରଣ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ ଓ୍ୱାଇଏସଆର କଂଗ୍ରେସ ମୁସଲିମ୍ ଓ ଖ୍ରୀଷ୍ଚିଆନ ସମ୍ପ୍ରଦାୟର ଭୋଟ ହାତେଇବାରେ ସଫଳ ହୋଇଛି। ତେଣୁ ଓ୍ୱାଇଏସଆର କଂଗ୍ରେସ ଦଳର କୌଣସି ନେତାଙ୍କୁ ଲୋକସଭାରେ ଉପ ବାଚସ୍ପତି କରାଇ ବିଜେପି ମୁସଲିମ୍ ଓ ଖ୍ରୀଷ୍ଚିଆନ ସମ୍ପ୍ରଦାୟଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରୁଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଯୋର ଧରିଛି। ସୂଚନାଯୋଗ୍ୟ ଯେ ୧୭ତମ ଲୋକସଭାରେ ବିଜେପିର ୩୦୩ ସାଂସଦ ଥିବା ବେଳେ କଂଗ୍ରେସ ୫୨, ଡିଏମକେ ୨୩ ଏବଂ ଓ୍ୱାଇଏସଆର କଂଗ୍ରେସ ୨୨, ତୃଣମୂଳ କଂଗ୍ରେସ ୨୨, ଶିବସେନା ୧୮, ଜେଡିୟୁ ୧୬ ଏବଂ ବିଜେଡି ୧୨ ବିଏସପି ୧୦ ଆସନ ଓ ଅନ୍ୟାନ୍ୟ ଦଳଙ୍କ ପାଖରେ ୧୦ରୁ କମ୍ ସାଂସଦ ରହିଛନ୍ତି।

Comments are closed.