Odisha Link
Bridging the Missing Links in Odisha

ଦୌଡ଼ ରାଣୀ ଦୂତୀଙ୍କୁ ନେଇ ତିଆରି ହେବ ବଲିଉଡ୍ ଫିଲ୍ମ

ମୁମ୍ବାଇ : କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ଏତେ ସବୁ ଚର୍ଚ୍ଚା ପରେ ଏବେ ଦୂତୀଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି କି ଦୂତୀଙ୍କ ଉପରେ ଖୁବ୍‌ଶୀଘ୍ର ଏକ ବଲିଉଡ ବାୟୋପିକ୍‌ ଫିଲ୍ମ ତିଆରି ହେବାକୁ ଯାଉଛି।
ମିଳିଥିବା ସୂଚନା ଅନୁସାରେ, ଏହି ଫିଲ୍ମ ପାଇଁ ଅନେକ ଫିଲ୍ମ ନିର୍ମାତା ଦୂତୀଙ୍କ ସହ ସମ୍ପର୍କ କରିସାରିଲେଣି। ଦୂତୀଙ୍କ କହିବା ମୁତାବକ ଅଭିନେତ୍ରୀ କଙ୍ଗନା ରାଣାୱତ ହିଁ ଏହି ରୋଲ୍‌ ପାଇଁ ଏକଦମ୍‌ ଫିଟ୍‌। ହେଲେ କଙ୍ଗନା ଏହି ଫିଲ୍ମ ସାଇନ କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା । ଏକ ସାକ୍ଷାତକାରରେ ଦୂତୀ କହିଛନ୍ତି ଯେ, ଅନୀଲ କପୁର ଓ ରାକେଶ ଓମପ୍ରକାଶ ତାଙ୍କୁ ଫିଲ୍ମର ରାଇଟ୍ସ ମାଗିଛନ୍ତି । ସେମାନେ ତାଙ୍କ ଉପରେ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି । ହେଲେ ଦୂତୀ ଏପର୍ଯ୍ୟନ୍ତ କାହାକୁ ବି ହଁ କହି ନାହାଁନ୍ତି । ଏହା ବ୍ୟତୀତ ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କୁ ଭେଟି ସାରିଲେଣି। ଶେଷରେ ଦୂତୀ କହିଛନ୍ତି, ‘ଲାଗୁଛି ମୋ ଷ୍ଟୋରୀ ବହୁତ ହିଟ୍‌ ହେବ।’ ଏଇଠି ଜଣାଇଦେବାକୁ ଚାହୁଁ ଯେ ଦୂତୀଙ୍କ ପୂର୍ବରୁ ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂହଙ୍କୁ ନେଇ ମଧ୍ୟ ଏକ ବଲିଉଡ ଫିଲ୍ମ ତିଆରି ହୋଇସାରିଛି । ଏଥିରେ ବଲିଉଡର ଲୋକପ୍ରିୟ କଳାକାର ମନୋଜ ବାଜପାୟୀ ବୁଦ୍ଧିଆଙ୍କ କୋଚ ଭୂମିକାରେ ଓ ମୟୁର ପଟୋଲେ ବୁଦ୍ଧିଆଙ୍କ ଭୂମିକାରେ ଅଭିନୟ କରିଥିଲେ ।

Comments are closed.