Odisha Link
Bridging the Missing Links in Odisha

ଅଣ୍ଟିଏ ଭୋକର ଗୀତ

ଜୟଦ୍ରଥ ସୁନାଙ୍କ କବିତା

ଅଣ୍ଟିଏ ଭୋକର ଗୀତ

ସ୍ବପ୍ନର ପଥରେ ଚାଲି ହୁଏନିରେ ବୁିମାନେ
ଆଶାର ଦିଶାରେ ବଞ୍ଚି ହୁଏନିରେ ନୁନାମାନେ

ଆସ, ମହୁଲ ବେଟିଯିବା
ପତର ତୋଳିଯିବା
ଇଏ ଆମର ଅନ୍ଧାର ଅର୍ଗଳିର
ଅପନ୍ତରା ଭାଗ୍ୟ

ହେଇ ଦେଖ,
ଈଶ୍ବର ଖଞ୍ଜିଲେ ତାଙ୍କ ହାତରେ ପୋଥି
ଅନ୍ୟ ହାତରେ ଖଣ୍ଡା
କାହା ଭାଗ୍ୟରେ ଲେଖିଲେ
ଶହ ଶହ ଏକର ଜମି
ଖଞ୍ଜିଲେ ନାହିଁ ଆମ ହାତରେ ସିଲଟ
ଦେଖାଇଲେନି ଆଲୋକର ବାଟ

ଆସ, ଡଙ୍ଗର କୋନାଝୋଲାକୁ
ଚାହାଁର ଖାଇଯିବା
କେନ୍ଦୁ ବେଟିଯିବା
ତେନ୍ତୁଳି ତୋଳିବା
ସଲପ ସଲପ ପତ୍ରା ପତ୍ରା ଖୋଜି
ଶାଢ଼ୀର ଅଣ୍ଟିରେ
ଅଣ୍ଟିର ଭୋକ
ସଂଚିକି ଆଣିବା

ଆସ, ଗରିଲାଟ ଧର
ମାଛ ଲଗାଇଯିବା
ହୁଏତ କିଛି ଦିନର ଭୋକ ମିଳିପାରେ
ଆସ, ସଲପ ଉତରେଇ ଯିବା
ହୁଏତ କିଛି ଦିନର ଶୋଷ ମିଳିପାରେ

ଧନ୍ଦି ହୁଅନାରେ ନୁନାନୁନୀମାନେ
ଆୟାମାନେ, ଆବାମାନେ
ଅସଭ୍ୟ ବୋଲି କହିପାରନ୍ତି ସେମାନେ
ଆମେ ତ ଜନ୍ମରୁ ଆଦିମ

ଆସ, ଆଦିମ ଗୀତ ଗାଇବା
ଆମ ଢଙ୍ଗରକୁ ପୂଜି
ଦେବତାକୁ ଫାନ୍ଦି
ନିର୍ଧୁମ ନାଚିବା।

Comments are closed.